ହେ କଳା ଶ୍ରୀମୁଖ ଶୁଣ ମୋ ଦୁଃଖ
ହେ କଳା ଶ୍ରୀମୁଖ ଶୁଣ ମୋ ଦୁଃଖ
ହେ କଳା ଶ୍ରୀମୁଖ ଶୁଣ ମୋ ଦୁଃଖ
ଜଗତ ଜଞ୍ଜାଳେ ହୁଏଁ ବିମୁଖ,
ନ ଦେଇ ଟାଳି ଅଳି ମୋର ରଖ
କୃପା କରି ମୋତେ ସଦୟେ ଦେଖ ।
ଭବ ସାଗରେ ଅଛି ମୁଁ ଉଦାସେ
ଜୀବନ ନଉକା ଅଥଳେ ଭାସେ,
କୁଳ କାହିଁ ତାର ମୋତେ ନ ଦିଶେ
ତାରି ଧରି ନିଅ ତୁମ ପ୍ରକାଶେ ।
ପଥ ହୁଡ଼ି ଗଲେ ବୁଡ଼ି ଏ ଭବେ
ରହି କି ପାରିବ ତୁମେ ନୀରବେ
ମନେ ପ୍ରାଣେ ନିତି ଶୁଭ ମୁଁ ଭାବେ
ତୁମ ଦୟା ସବୁ ଦେଖାଅ ଜୀବେ ।
ତୁମେ ହିଁ ଆଶା ବିଶ୍ଵାସ ଭରସା
କଣ୍ଠରେ ଦେଇଛ ମଧୁର ଭାଷା,
ଗଢ଼ି ଦେଇଛ ସଂପର୍କର ବସା
ଭାଙ୍ଗି ଦିଏ ତା' ଦୁଃଖର ବରଷା ।
ଶକତି ଦିଅ ରଖିବାକୁ ମାନ
ସରାଗେ କରିବି ଶ୍ରମ ସାଧନ,
ବୁଝି ବିଚାରି ତୁମ ଅବଦାନ
ସତ୍ୟ ଧର୍ମେ କରୁଥିବି ପାଳନ ।
ମୋହ ମାୟାରେ ମୁଁ ନ ହୁଏ ବଶ
ହୃଦୟେ ନ ରହୁ ରାଗ କି ରୋଷ,
ମନ ମୋର ରହୁ ସ୍ବଚ୍ଛ ହରଷ
ଆନ ଓଠେ ଫୁଟାଇବାକୁ ହସ ।
ତୁମରି ପାଶେ ନେଇ ମୁଁ ଶରଣ
ଭକ୍ତି ପୁଷ୍ପ ଅର୍ପି କରେ ଜଣାଣ,
ଶୁଣ ମୋ ଗୁହାରି ହେ ଆର୍ତ୍ତତ୍ରାଣ
ରଖ ତୁମ ଦିଆ ମୋର ଏ ପ୍ରାଣ ।
କଳା ଶ୍ରୀମୁଖ ଶୁଣ ମୋ ଦୁଃଖ
