ହେ ଜଗନ୍ନାଥ
ହେ ଜଗନ୍ନାଥ
ମନ ମନ୍ଦିରରେ ପୂଜିବି ମୁଁ ପ୍ରଭୁ
ଶ୍ରୀ ମନ୍ଦିର ମୋ ଠୁ ଦୂର,
ଦୀନ ଦୁଃଖୀ ସଦା ମୋହର ଜୀବନ
କରିବନି ମତେ ପର ।
ପର କରି କେବେ ଦୋଷ ଧରିବନି
ଜଣା ନାହିଁ ପୂଜାବିଧି
ନ ଜାଣଇ କିଛି ମନ୍ତ୍ର ଉପଚାର
ପ୍ରେମେ ଯା' ପାରିବି ବାନ୍ଧି ।
ବାନ୍ଧିବା ତଥାପି ନୁହେଁ ତ ସହଜ
ତୁମର କରୁଣା ବିନା,
ମାଆ ଯଶୋଦା ବି ଥକି ପଡ଼ି ଥିଲେ
ଏକଥା ରହିଛି ଜଣା ।
ଜଣା କି ଅଜଣା ତୁମ କୃପାବଳେ
ସର୍ବସ୍ବ ତୁମରି ଦାନ,
ଟେକି ଦେଲି ତୁମ ହାତେ ନିଜକୁ ମୁଁ
ସମର୍ପିଣ ମନ ପ୍ରାଣ ।
ପ୍ରାଣ ଯେତେ ଦିନ ରହିଥିବ ଘଟେ
ତୁମ ପାଦେ ଧ୍ୟାନ ରହୁ
ଚାହେଁ ନାହିଁ କିଛି ମୁଁ ହେ ଜଗନ୍ନାଥ
ଏତିକି କରୁଣା ହେଉ ।
ହେଉ ପ୍ରଭୁ ପୁଣି ଆଉ ଥରେ କୃପା
ଦର୍ଶନ କରୁ ନୟନ,
ତୁମ ଇଚ୍ଛା ବିନା କିଛି ନୁହେଁ ତ ସମ୍ଭବ
ହେ ମୋର କାଳିଆ ଧନ ।
