STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ହେ ହରି କର ପାରି

ହେ ହରି କର ପାରି

1 min
8


ହେ ହରି କର ପାରି   ଭବ ଦୁଃଖରୁ ତାରି  

     ଅଗାଧ ଜଳେ ଯାଏଁ ବୁଡ଼ି,

ଦିଶୁ ନାହିଁ ତ କୂଳ     ଅଥଳ ଥଳ ଜଳ

     ପାଉ ନାହିଁ ମୋ କାତ ବାଡ଼ି,

  ଜୁଆର ପରେ ଜୁଆର ଆସଇ ମାଡ଼ି,

ଉବୁଟୁବୁ ଯେ ନାଆ  ହୁଅ ବାରେ ମୋ ସାହା 

     ଭଉଁରୀ ନିଏ ମୋତେ ଭିଡ଼ି।

ଉପୁଜଇ ଆଶଙ୍କା    ଅସହାୟ ମୁଁ ଏକା

      ମଝି ଦରିଆରେ ଭାସୁଛି,

ଜୀବନ ନାଆଟି    ପାରୁନି ବାଟ କାଟି 

      ଭରସା ହରାଇ ଦେଉଛି,

   ହେ ହରି କର ପାରି ବିପଦୁଁ ଉଦ୍ଧାରି,

ଡ଼ାକିବି ମୁଁ କାହାକୁ   କିଏ ବା ଅଛି ଆଉ

      ତୁମକୁ କରୁଛି ଗୁହାରି ।

ଜଞ୍ଜାଳ ବଢ଼େ ଯେତେ ଅଥୟ ହୁଏଁ ସେତେ

     ଯିବା ପଥେ ଯାଉଛି ହଜି,

ଆନ୍ଧାର ଦିଶେ ମୋତେ  ଡ଼ାକୁଛି ଅବିରତେ 

     ପାଉନି ମୁଁ ଉପାୟ ଖୋଜି,

  ସଦୟ ହୁଅ ମାଗେ ତୁମ ସହାୟତା,

କୃପା କର ହେ ହରି   ହେବାକୁ ଭବ ପାରି 

     ମନେ ଆସୁ ସାହସିକତା।

ମାୟା ମୋହର ଢ଼େଉ ସହଜେ ଲଙ୍ଘି ଯାଉ

     ଏ ଜୀବନ ନଉକା ମୋର,

ଅନୁକୂଳରେ କୂଳ    ଛୁଇଁବା ଶୁଭ ବେଳ

      ଯିବା ପଥରେ ରହୁ ସ୍ଥିର,

  ଦୂରାଇ ପ୍ରତିକୂଳ କର ହେ ମଙ୍ଗଳ,  

ହୃଦୟେ ଅନୁଭବ    ଅତୁଟ ରହୁ ଭାବ    

      ଭବିଷ୍ୟତ କର ଉଜ୍ଜ୍ୱଳ।

ତୁମେ କରୁଣାକର   ଭବେ ବଡ଼ଠାକୁର

      ଦୁଃଖ ହରୁ ଥିବାରୁ ହରି,

ତୁମେ ବିଶ୍ବବିହାରୀ  ଦୀନବନ୍ଧୁ ଦୈତ୍ୟାରୀ 

     ସନ୍ଥେ ରଖ ଦୁଷ୍ଟ ସଂହାରି,

  ତୁମେ ଦୟାମୟ କୃପାସିନ୍ଧୁ ହେ ନାଥ,

ପବିତ୍ର ମନେ ପ୍ରାଣେ  ରହି ତୁମେ ଶରଣେ

    କରେ ସ୍ତୁତି ଦେଖାଅ ପଥ।


    

 

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract