ହେ ଗୁରୁଦେବ
ହେ ଗୁରୁଦେବ


ତମସା ପଥରୁ ଆଲୋକ ପଥର ଅନୁଭବ
ତୁମ ପ୍ରୟାସରେ ସବୁକିଛି ଏଠି ସମ୍ଭବ
ହେ ଗୁରୁଦେବ, ନମୋ ଗୁରୁଦେବ ।
ଆଜି ଯେଉଁଠି ମୁଁ ଆସି ପହଞ୍ଚିଛି
ସବୁ ପରା ତୁମ ଦାନ
କେମିତି ବର୍ଣ୍ଣିବି ତୁମର ମହିମା
ତୁମେ ପରା ମହୀୟାନ ।
ଶବ୍ଦର ଅଛି ଯେ ଊଣା ଶବ୍ଦକୋଷେ
ତୁମ ମହାନତା ଲେଖିବା ପାଇଁ
ତଥାପି ହେ ଗୁରୁ ଲେଖୁଛି ଦିଧାଡି
ଭୁଲ ଥିଲେ କ୍ଷମା କରିବଇଁ ।
ତୁମ ଉପସ୍ଥିତି ଜଗତ ପାଇଁ କି
ପୂର୍ଣ୍ଣିମାର ଚାନ୍ଦ ପରି
ତୁମେ ନଥିଲେ ଏ ପୁରା ବିଶ୍ୱ ପରା
ଉଆଁସେ ରୁହନ୍ତା ଘେରି ।
ଶିକ୍ଷାର ପଥକୁ ଟାଣିନେଇ ମୋତେ
ଦୁନିଆକୁ ଚିହ୍ନେଇଲ
ଠିକ୍ ଆଉ ଭୁଲର ଫରକ ଦେଖାଇ
ମୋ ସ୍ଥିତି ସୁଦୃଢ଼ କଲ ।
ମୁକ୍ତ ଆକାଶର ବିହଙ୍ଗ ସଜାଇ
ଡେଣାରେ ରଙ୍ଗ ଭରିଲ
ଉଡିବା ବିଶ୍ୱାସ ତୁମ ଦାନ ଗୁରୁ
ଋଣୀ ମୋତେ କରିଦେଲ ।
ଗୁରୁଙ୍କ ଋଣକୁ କିଏ ବା ସୁଝିବ
ଏତେ ଶକ୍ତି ଅବା କାହିଁ
ମୁଁ ଛାର ମଣିଷ କେମିତି ସୁଝିବି
ଆଶା ବୈତରଣୀ ନଈ ।
ମୋ ପାଖରେ ଥିବା ତୁମ ଶିକ୍ଷା ଗୁରୁ
ଖୁସିରେ ଦେବି ବିତରି
ଜଗତ ହିତରେ ଶିକ୍ଷା ମୋ ଲାଗିବ
କହୁଛି ଶପଥ କରି ।
ଚାହିଁ କରି କେହି ନପାରିବେ ନେଇ
ତୁମରି ଅନନ୍ୟ ସ୍ଥାନ
ଯୁଗେ ଯୁଗେ ଗୁରୁ ତୁମେ ଯେ
ମହାନ, ଭିନ୍ନ ତୁମ ଅବଦାନ ।
ତୁମ ଚଲାପଥେ ଚାଲିବି ହେ ଗୁରୁ
ସାରା ଜୀବନ ପାଇଁ
ତୁମ ପାଦତଳେ ମଥା ସବୁବେଳେ
ସମ୍ମାନରେ ଯିବ ନଇଁ ।
ତମସା ପଥରୁ ଆଲୋକ ପଥର ଅନୁଭବ
ତୁମ ପ୍ରୟାସରେ ସବୁକିଛି ଏଠି ସମ୍ଭବ
ହେ ଗୁରୁଦେବ, ନମୋ ଗୁରୁଦେବ ।