ହେ ଗୁରୁ ତୁମେ
ହେ ଗୁରୁ ତୁମେ
ହେ ଗୁରୁ ତୁମେ ପ୍ରାତଃ ସ୍ମରଣୀୟ
ଚିର ବନ୍ଦନୀୟ ତୁମେ
ଅଜ୍ଞାନ ତିମିର କରି ଦେଇ ଦୂର
ଜ୍ଞାନାଲୋକ ଜାଳ ତୁମେ ।
ତୁମରି ଆଶିଷେ ମିଳେ ଶୁଭ ଫଳ
ସକଳ କାର୍ଯ୍ୟେ ସଫଳ
ତୁମ ଦୁଇ ହାତ ଛାୟା ପ୍ରଦାୟକ
ହୋଇ ରହୁ ଚିର କାଳ ।
ଅବାଟରେ ଗଲେ ବାଟକୁ ଆଣିଣ
ଜୀବନ ଗଢିବା କାମେ
ଜୀବନ ଯୁଦ୍ଧରେ ସାହସେ ଲଢିଣ
ଜିତିବା ଶିଖାଅ ତୁମେ ।
ତୁମେ ଦୟାନିଧି ଜ୍ଞାନର ଜଳଧି
ସ୍ନେହ କ୍ଷମା ଅନୁପମ
ତୁମ କୃପାବାରି ପାଥେୟ ସବୁରି
ନାହିଁ କେହି ତୁମ ସମ ।
ତୁମ ଶିକ୍ଷା ବିନା ସକଳ ଅଚଳ
ଚାଲିପାରିବନି କିଛି
ସଂସାର ନାମକ ଶବଦ ବିଶ୍ବରୁ
ହୋଇଯାଇପାରେ ପୋଛି ।
ଚାଲିବାକୁ ତୁମେ ଦେଖାଇଣ ପଥ
ସଂସାର ଦୁର୍ଗମ ପଥେ
ଖୋଲିଦେଇଅଛ ଜ୍ଞାନ ଚକ୍ଷୁ ତୁମେ
ଅଜ୍ଞାନାନ୍ଧାର ନିଶିଥେ ।
ତୁମେ ବ୍ରହ୍ମା ବିଷ୍ଣୁ ତୁମେ ମହେଶ୍ବର
ତୁମେ ସାକ୍ଷାତ ଈଶ୍ବର
ତୁମେ ପରଂବ୍ରହ୍ମ ସଂସାରରେ ସାର
ଘେନ ପ୍ରଣତି ମୋହର ।
