ହେ ବିଶ୍ୱ ନିୟନ୍ତା
ହେ ବିଶ୍ୱ ନିୟନ୍ତା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଜଗତ ର ନାଥ ବୋଲି ଜଗତଜାଣନ୍ତି
ସେ ଲାଗି ସିନା ତୁ ବଡ଼ ଠାକୁର,
ଆଜି ଏତେ ବେଳେ ମଉନ କାହିଁକି
ବଡ଼ ଦେଉଳେ କିବା ହେଲୁ ପଥର।
ବଡ଼ ନାଁ ନେଇ ବସିଛୁ କିପାଇଁ
ଜଗତେ ଦୁଃଖ ରେ ପଡ଼ିଛି ଡକା,
ଆହେ ଦୀନଜନ ଶରଣ ରକ୍ଷଣ
ଡାକିବି କେତେ ମୁଁ "ଅବଢ଼ା ବିକା"।
ତ୍ରାହି ତ୍ରାହି ଏବେ ଜଗତ ଛାଡୁଛି
ବୋଲୁଥିଲା ଯିଏ ଜଗତେ ଶ୍ରେଷ୍ଠ,
ଗର୍ବ ଅହଙ୍କାର ଭାଜି ତା ଯାଇଛି
ହୋଇଥିଲା ଯେଣୁ ସେ ପଥ ଭ୍ରଷ୍ଟ।
ନିରାକାର ନିରାମୟ ହେ ଇଶ୍ୱର
କର ଏବେ ତୁମ୍ଭେ ଜ୍ଞାନ ଉଦୟ,
ଏ ମୂଢ ମାନବେ ସଦ୍ ବୁଦ୍ଧି ଦେଇ
ସଂସାର ଦୁଃଖରୁ କର ବିଜୟ।
ନାହିଁ ଧନୀ ନାହିଁ ଗରିବ କିଙ୍କର
ନାହିଁ ଏଠି ଧନ ଧର୍ମ ଗରବ,
ତୁମ ବିନା ଏଠି ସଂସାର ସାଗରୁ
କିଏବା ଆମ କୁ ପାର କରିବ।
ଦେଖୁ ଦେଖୁ ଦୁଃଖ ମାଡ଼ି ଆସୁଅଛି
ଦେଖିକି ଅଦେଖା ହେଉଛ କିଆଁ,
ଜଗତ କୁ ଦୁଃଖ ସାଗରେ ଭସାଇ
ଭାବୁଛ ସତେକି ନେବ କି ନାଁ।
ଦୀନବନ୍ଧୁ ବୋଲି ନାମ ବହିଅଛ
ଦୁଃଖ ନ ହରୁଛ ତିଳିଏ ପ୍ରଭୁ,
ତୁମ ଏ ସୁନ୍ଦର ସଂସାର ସାରାଟା
ଛାରଖାର କରି ଦେବ କି ସବୁ।
କଷ୍ଟ କି ହେଉନି ସନ୍ତାନ ର ଦୁଃଖେ
ଦେଖୁଅଛ ତୁମେ ନୀରବେ ରହି,
ହେ ଜଗତ ପିତା କର ଥରେ ଚିନ୍ତା
ଏ ମୂଢ ମାନବେ ଉଦ୍ଧାର ପାଇଁ।
ହେ ବିଶ୍ୱ ନିୟନ୍ତା ତ୍ରାଣକର୍ତ୍ତା ତୁମେ
ବିଶ୍ୱ ସାରା ତୁମ ଲୀଳା ଲାଗିଛି,
କରୁଣା ସାଗର କୃପା ପାରାବାର
ବନ୍ଧୁ ଵୋଲି ସିନା ଡାକ ପାତିଛି।
ହୋଇ ନ ପାରିବି ରଘୁ ଅରକ୍ଷିତ
ନ ପାରିବି ହୋଇ ମୁଁ ସାଲବେଗ,
ତଥାପି ଡାକୁଛି ଅକିଞ୍ଚନ ପ୍ରଭୁ
କାନି ପତାଉଛି ସଂସାର ରଖ।
ଦୀନକୃଷ୍ଣ ଅଵା କୃଷ୍ଣ ସୁଦାମା
ଭକତି ମୋ ଠାରେ ଆସିବ କାହୁଁ,
ସେ ଲାଗି ମୁଁ ପରା ପାପିଟାରେ ଗଣା
ଉଦ୍ଧାର କରିବ ହେ ମହାବାହୁ।
ବନ୍ଧୁ ମହାନ୍ତି ର ବନ୍ଧୁ ହୋଇ ତୁମେ
ପ୍ରସାଦ ବାଢିଲେ ସୁନାର ଥାଳେ,
ଲୋଡା ନାହିଁ ମୋର ଧନ କି ଦରବ
ଭାସି ମୁଁ ଯାଉଛି ଅଗାଧ ଜଳେ।
ସମର୍ପଣ କରେ ହେ ବିଶ୍ୱ ନିୟନ୍ତା
ରକ୍ଷାକର ତୁମ ଅମୃତ ସୃଷ୍ଟି,
ଦୁଃଖ ଜତ୍ରଣା ରେ ସଢାଅନି ଆଉ
ନ କର ନ କର ଯାତନା ବୃଷ୍ଟି। ।