ହେ ବିଘ୍ନେଶ
ହେ ବିଘ୍ନେଶ


ହେ ବିଘ୍ନେଶ ବିଘ୍ନରାଜ ବିଘ୍ନ ବିନାଶନ
ସଦାଶିବ ପ୍ରିୟ ସୁତ ଗଉରୀ ନନ୍ଦନ ।
ମାନବ ଦାନବ ଦେବ ସଭିଙ୍କର ପ୍ରିୟ
ତବ ଚରଣ କମଳେ ମୋହର ଆଶ୍ରୟ ।
କପାଳେ ସିନ୍ଦୁର ଚିତା ଦିଶେ ଶୋଭାବନ
ପୃଥୁଳ ଶରୀର ତବ ଦେବ ଗଜାନନ ।
ସୂର୍ପ କର୍ଣ୍ଣ ଏକଦନ୍ତ ତୁମେ ଖର୍ବକାୟ
ସଭିଙ୍କ ଆନନ୍ଦ ଦାତା ସଭିଙ୍କର ପ୍ରିୟ ।
ଗୌରୀପୁତ୍ର ବିନାୟକ ନମୋ ଅଗ୍ରଦେବ
ସର୍ବ କାର୍ଯ୍ୟ ସାଧନ ଅଗ୍ର ପୂଜନେ ତବ ।
ଗଂ ଗଣପତୟେ ନମଃ ଓଁ କାର ସଂଯୁକ୍ତ
ନାମ ଜପ କରି ତବ ସିଦ୍ଧି ଲଭେ ଭକ୍ତ ।
ରକତ ବରନ ବସ୍ତ୍ର ରକତ କୁସୁମ
ଅତି ପ୍ରିୟ ତବ ଆହେ ପ୍ରଭୁ ପ୍ରିୟତମ ।
ସିଦ୍ଧ ବିନାୟକ ସ୍ତୋତ୍ର ତବ ପାଠ ଫଳେ
ଷଣ୍ମାସ ଅବା ବର୍ଷକେ ସିଦ୍ଧି ନିଶ୍ଚେ ମିଳେ।
ବରଷକେ ସିଦ୍ଧି ହେଲା ମୋର ମନୋରଥ
ମିଥ୍ୟା ନୁହେଁ ଏହା ବାରମ୍ବାର କହେ ସତ୍ୟ ।
ମୋଦକ ପ୍ରିୟ ବିଘ୍ନେଶ ଈନ୍ଦୂର ବାହନ
ତ୍ରିବାର କରିଲ ତୁମେ ପୃଥ୍ୱୀ ପ୍ରଦକ୍ଷିଣ ।
ଜ୍ୟେଷ୍ଠ ଭ୍ରାତା କାର୍ତ୍ତିକେୟ ତୁମରି ବୁଦ୍ଧିରେ
ହାରିଲେ କୀର୍ତ୍ତି ସ୍ଥାପିଲ ପିତାଙ୍କ ପାଶରେ ।
ହେ ବିଘ୍ନେଶ ବିଘ୍ନ ହର ପଶିଛି ଶରଣ
ତବ ଚରଣ ପଙ୍କଜେ ଦୀନ ନିରଞ୍ଜନ ।
<
/p>
ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନ
ଦୂର କର ବିଘ୍ନ ମୋର ବିଘ୍ନ ବିନାଶନ ।
ଏ ଭାବରେ ନାରୀକେଳ କରିଲେ ଭଞ୍ଜନ
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀର ଦିନ ।
ରକ୍ତ ପୁଷ୍ପ ରକ୍ତ ବସ୍ତ୍ର ଦେଇ ପୂଜା କଲେ
ସନ୍ତୋଷ ଲଭି ବିଘ୍ନେଶ ବରଦ ହୋଇଲେ ।
ବିଘ୍ନାରଣ୍ୟକୁ ଅନଳ ସ୍ଫୁଲିଙ୍ଗ ପରାୟେ
ଦହନ କରଇ ତୁମ ନାମ ଦେବ ରାୟେ ।
ବିଦ୍ୟା ବିଭବ ପ୍ରଦାନେ ତୁମ୍ଭ ଅଧିକାର
କୃପା କରିବ ବିଘ୍ନେଶ ନମେ ଶ୍ରୀପୟର ।
ଏକଦନ୍ତ ମହାକାୟ କପିଳ ଆବର
ଗଜକର୍ଣ୍ଣକ ନାମ ବିକଟ ଲମ୍ବୋଦର ।
ବିଘ୍ନନାଶ ଗଣାଧିପ ଧୂମ୍ରକେତୁ ଗଣ
ଅଧ୍ୟକ୍ଷ ଭାଲଚନ୍ଦ୍ର ଆବର ଗଜାନନ ।
ଦ୍ବାଦଶ ନାମ ତୁମର ଶୁଚିମନ୍ତ ହୋଇ
ତ୍ରିସନ୍ଧ୍ଯାରେ ପାଠ କଲେ ଅବିଘ୍ନ ହୁଅଇ ।
ସର୍ବ ସିଦ୍ଧି ପ୍ରାପ୍ତ ହୋଇ ହୁଏ ଜାତିସ୍ମର
ଷଣ୍ମାସରେ ବର ପ୍ରାପ୍ତ ହୁଅଇ ସେ ନର ।
ବିଦ୍ୟାର୍ଥୀ ବିଦ୍ୟା ଅର୍ଥାର୍ଥୀ କରେ ଧନ ଲାଭ
ପୁତ୍ରକାମୀ ପୁତ୍ର ମୋକ୍ଷକାମୀ ମୋକ୍ଷ ଲାଭ ।
ଅଷ୍ଟ ବ୍ରାହ୍ମଣଙ୍କୁ ଲେଖି ସମର୍ପଣ କଲେ
ବିଦ୍ୟା ସିଦ୍ଧି ହୁଏ ନାହିଁ ସନ୍ଦେହ ଏଥିରେ ।
ହେ ବିଘ୍ନେଶ କୃପାମୟ ଏହି କୃପା କର
ତୁମ ଶ୍ରୀଚରଣେ ସଦା ରହୁ ମତି ମୋର ।