ହାଟ ତାଲିକା
ହାଟ ତାଲିକା
ନାଟ ଲଗାଇଛ ହାଟ ବସାଇଛ
ହଟହଟା କେତେ କରୁଥାଅ
ବାଟରୁ ଉଠାଇ ହାଟରେ ବସାଇ
କାହୁଁ ହାଟ ସଉଦା କରାଅ ॥
ଭ୍ରମରେ ଭ୍ରମାଇ ଭ୍ରମିତ କରାଇ
ଭଉଁରି ଖେଳାଅ ମହାବାହୁ
ହାଟରେ ତୋହର ମାୟାର ଚାଦର
ସବୁ ଦିଶୁଥାଏ ଦାଉ ଦାଉ ॥
ଆସିଥିଲି ଏକା ଧରି ମୁଁ ତାଲିକା
ଭବ ହାଟରୁ କିଣିବି କିଛି
ମାୟାର ବଜାରେ ମଜିଲେ ମଜାରେ
ପାରିଲିନି ମୁହିଁ ପୁଣ୍ୟ ବାଛି ॥
ଭାରି ଝଲମଲ ଲାଗୁଥିଲା ଭଲ
ସମୟଟା ପୁରା ଗଲା କଟି
ଚାଲି ପାରୁନହିଁ ବାଛିବି କେମିତି
ପାପରୁ ପୁଣ୍ୟକୁ ଖୁଣ୍ଟି ଖୁଣ୍ଟି ॥
ପଛେ ଆସି କେତେ ଗଲେଣି ହାଟରୁ
ସଉଦା ସରୁନି ମୋର ଏଠି
କଲାକର୍ମ ଫଳ ଭୋଗୁଛି ରେ ମୁହିଁ
ଜାଣିନି କେବେ ମିଳିବ ଛୁଟି ॥
ଗଲା ବେଳେ ପିଣ୍ତ ଭଜୁଥାଉ ତୁଣ୍ତ
ଜଗନ୍ନାଥ ଜଗନ୍ନାଥ ଏକା
କରୁଣାରୁ ତବ ଉଣା ନକରିବ
ମନେ ପକାଇବ ହାଟ ତାଲିକା ॥
