ହାତେ ହାତ ଛନ୍ଦି
ହାତେ ହାତ ଛନ୍ଦି
କୁମ୍ହକର୍ଣ୍ଣର ନିଦ୍ରା ତେଜି
ଉଠ ଉଠ ମୋର ବନ୍ଧୁ ଭାଇ
ଆଗକୁ ଆଗକୁ ବଢିଚାଲ ତୁମେ
ଜାତୀୟ ଏକତାର ମନ୍ତ୍ର ନେଇ l
ପରୋପକାର ହେଉ ପରମ କର୍ତବ୍ୟ
ଦେଶ ସେବା ଶ୍ରେଷ୍ଠ ସଂକଳ୍ପ
ପରଦୁଖେ ଝରୁ ଆଖିରୁ ଲୋତକ
ମାନବିକତା ହେଉ ଅନ୍ତିମ ଲକ୍ଷ୍ୟ l
ଭେଦଭାବ ଭୁଲି ଭୟଶୂନ୍ୟ ହୋଇ
ହାତେ ହାତ ଛନ୍ଦି
କର୍ତ୍ତବ୍ଯ ପଥରେ ଅଗ୍ରସର ହେଲେ
ଅସାଧ୍ୟ ନୋହିବ କିଛି l
ତମସାଚ୍ଛନ୍ନ ଏ ଭୀତି ଭରା ରାତି
ନିଶ୍ଚେ ଦିନେ ଯିବ ପାହି
ନୂତନ ସୂରୁଜ ଉଇଁ ଆସିବ
ଅନ୍ଧକାର ଛାତି ଚିରି ॥
