ହାଇଟେକ୍ ପ୍ରେମର ପରିଣତି
ହାଇଟେକ୍ ପ୍ରେମର ପରିଣତି
ଫେସବୁକ୍ ଫ୍ରେଣ୍ଡ ନଅ ଶହ ବୋଲି ଭାରି ଗର୍ବ ପାଣୁଆର
ସକାଳୁ ଉଠିଲେ ଲାଇକ୍ ସେୟାର ଚୁଲିକି ଯାଉ ସେ ବେପାର।
ପ୍ରାଣକୃଷ୍ନ ବୋଲି ଫେସବୁକ୍ ଜାଣେ ଗାଆଁ ସାରା ଡାକ ପାଣୁଆ
ଚିଟା ଲାଗେ ଭାରି ପାଣୁଆ ଡାକଟା ଡାକିଲେ ଜବାବ ହାଣୁଆ।
ଫେସବୁକ୍ ରେ ସୁନ୍ଦରୀ ଝିଅଟେ ଆଞ୍ଜେଲ୍ ସୁପ୍ରିୟା ବୋଲି
ଫ୍ରେଣ୍ଡ ରିକୁଏଷ୍ଟ ଦେଖି ପ୍ରାଣକୃଷ୍ନ କହିଲା ମାଆଲୋ ମଲି।
ତୁରନ୍ତ ଆକ୍ସେପ୍ଟ କରିଦେଲା ସିଏ ଆଞ୍ଜେଲ୍ ସୁପ୍ରିୟା ଫ୍ରେଣ୍ଡ
ଚାଟିଙ୍ଗ୍ ନଟିଙ୍ଗ୍ ଡାଟିଙ୍ଗ୍ ପର୍ଯ୍ୟନ୍ତ ନଥାଏ ତାହାର ଏଣ୍ଡ।
ଆଞ୍ଜେଲ୍ ସୁପ୍ରିୟାକୁ ଡେଟିଂ ପାଇଁକି ଯେତେକ କଲା ସେଟିଂ
ଆଜିକାଲି କହି ଦିନ ଗଡୁଥାଏ କଲିଜାକୁ କରେ ହଟିଂ।
ସପିଂ କରିବ ଆଞ୍ଜେଲ୍ ସୁପ୍ରିୟା ପାଣୁଆ ଭରିବ ବିଲ୍
ଅନ୍ ଲାଇନ୍ ପାସୱାର୍ଡ ଦେବ ପ୍ରାଣପ୍ରିୟା ଏତେ ଚିଲ୍।
କାର୍ଡ୍ ନମ୍ବର ପାସୱାର୍ଡ ସହ ଦେଇଦେଲା ପ୍ରାଣକୃଷ୍ନ
ଆଞ୍ଜେଲ୍ ପ୍ରିୟାର ପ୍ରାଣ ଡାକଟା ଲାଗୁ ଥାଏ ହରେକୃଷ୍ନ।
ବେପାର ବଣିଜେ ମନ ଲାଗେନାହିଁ ରୋଜଗାର କମିଗଲା
ଯାହା ଥିଲା ସବୁ ଆଞ୍ଜେଲ୍ ପ୍ରିୟାର ଅନ୍ ଲାଇନ୍ ରେ ଗଲା।
କେତେଥର ଡାକିଲାଣି ପାର୍କକୁ ଆଜି କାଲି କହି ଗଲା
ଜିଦ୍
କଲା ଦିନେ ପାଣୁଆ ଆଜି ବାହା ହୋଇଗଲେ ଗଲା।
ସୁପ୍ରିୟା କହିଲା ପ୍ରାଣ ଆଉ ବାଲାନସ୍ ନାହିଁ ତମ ଖାତାରେ
ପ୍ରାଣ କହୁଛନ୍ତି ବାହା ହୋଇଗଲେ ମନ ଲାଗିବ ମୋ କାମରେ।
ବାହା ହେବା ପାଇଁ ଦିନ ସ୍ଥିର ହେଲା ମନ୍ଦିର ବି ସ୍ଥିର ହେଲା
ପ୍ରାଣ ବାବୁଙ୍କର କଣ୍ଠାଗ୍ରତ ପ୍ରାଣ କିଏ ବା ରୋକିବା ବାଲା !
ବାଇକ୍ ଧରିକି ପାଣୁଆ ଜଗିଛି ମନ୍ଦିର ପାହାଡ ପରେ
ପଛରୁ ବସିଲା ନିର୍ଘାତିଆ ମାଡ ପ୍ରାଣକୃଷ୍ନ ପିଠିପରେ।
ବୋଉଲୋ ଡାକରେ ଚମକି ଚାହିଁଲା ଦୁଇଟି ପିଲାର ମାଆ
ସାଥିରେ ତା ସ୍ୱାମୀ ଧଡାଟେ ଧରିଛି ପାଣୁଆ ଚାହଁଛି ଆଆଁ।
କହିଲା ରମଣୀ ରତନ ମୁହିଁ ତୋ ଆଞ୍ଜେଲ୍ ସୁପ୍ରିୟା ଜାଣ
ଇଏ ମୋ ସ୍ୱାମୀ ମୋ ପରିବାର ପଇସା ଲୁଟିବା ଆମ କାମ।
ତୋ ପାଖରୁ ଏବେ ପଇସା ସରିଲା ଦେଖିବି ଗରାକ ନୂଆ
ବେପାର ବଣିଜେ ମନ ଲଗା ଏବେ ପଇସା ପତର କମା।
ଆଞ୍ଜେଲ୍ ସୁପ୍ରିୟା ଫଟ ମିଶୁନାହିଁ ତଥାପି ଡାଉଟ୍ ହେଲା
ସାଉଥ୍ ହିରୋଇନ୍ ଫଟୋ ଟେ ଦେଖାଇ ପ୍ରିୟା ଚମ୍ପଟ ମାରିଲା।
ପ୍ରାଣକୃଷ୍ନ ପୁଣି ପାଣୁଆ ହୋଇଲା ବେପାରରେ ଦେଲା ମନ
ଫେସବୁକ୍ ୱାଟସାପ୍ ସବୁ ଛାଡିଦେଲା ଭୁଲି ପ୍ରେମ ଅନ୍-ଲାଇନ୍।