STORYMIRROR

Sudeshna Pradhan

Abstract Fantasy Children

4  

Sudeshna Pradhan

Abstract Fantasy Children

ଗୁରୁଙ୍କ ଗୁରୁତ୍ୱ

ଗୁରୁଙ୍କ ଗୁରୁତ୍ୱ

1 min
333


ଜନମରୁ ଜୁଇ ପଥ ଲମ୍ବିଥାଇ

ନୂଆ ନୂଆ ଅନୁଭୂତି ସମ୍ଭାର

ତହୁଁ ଜୀବଗଣ  କରେ ଅରଜନ 

ଜ୍ଞାନ ରୂପୀ ଧନ ସଂସାର ସାର ।


ଏ ବିଚିତ୍ର ବିଶ୍ୱ  ସୃଷ୍ଟିର ରହସ୍ୟ

ଖୋଜେ ଅହରହ ମାନବ ଜାତି

ଜୀଵଶ୍ରେଷ୍ଠ ଭାବେ ଜିଜ୍ଞାସା ଉନ୍ମାଦେ

ଭେଦିଯାଏ ଗିରି ସାଗର କ୍ଷିତି ।


ଏ କାରଣୁ ନର  ଚୀର ଶିଷ୍ୟତ୍ୱର

ଘେନି ଜ୍ଞାନ ତୃଷ୍ଣା ହୃଦ ମସ୍ତିଷ୍କ

ସୃଷ୍ଟିନିଚୟରୁ  ବାଛିଅଛି ଗୁରୁ

ଅଜାଣତେ ହୋଇ ଶିକ୍ଷା ମନସ୍କ ।


ସ୍ୱାଭାବେ ମୁଁ ନର ତୃଷାର୍ତ୍ତ ତତ୍ପର

ଲଭିବାକୁ ସତ୍ୟ ଜ୍ଞାନ ବିଶ୍ୱର

କରିଛି ଶିକ୍ଷକ ଗୁରୁ ଅସଂଖ୍ୟକ

ପ୍ରତି ସୋପାନରେ ଏ ଜୀବନର ।


ଆଧୁନିକତାର  ସ୍ରୋତ ପରଖର

ସେଇ ସ୍ରୋତେ ମୁହିଁ ଯାଉଛି ଭାସି

ସବୁ ଶିକ୍ଷାଦାନ  ପାଇଁ ପ୍ରତିଦାନ

ନପାରଇ ଗୁରୁ ପାଦେ ପରଶି ।


ତିଥି ବାରେ ଖୋଜା  ଗୁରୁଙ୍କର ପୂଜା

ନହେଉ ମୋ ପାଇଁ ଜୀବନ ନୀତି

ଗୁରୁ ପଦଗଣ  ପୂଜ୍ୟ ପ୍ରତିକ୍ଷଣ 

କୃତଜ୍ଞ ରହିବି ଦିବସ ରାତି ।


ଗୁରୁ ସଦା ପୂଜ୍ୟ ନହେବେ ବିଭାଜ୍ୟ

ଜାତି ଜାତୀୟତା ଭେଦ ଭାବରେ

ପଦ ଆଭୂଷଣ ଊର୍ଦ୍ଧ୍ୱେ ତାଙ୍କ ଜ୍ଞାନ

ପ୍ରତିଫଳନ୍ତି ସେ ଶିଷ୍ୟ ଭିତରେ ।


ଗୁରୁଙ୍କର ବିନା  ଏ ଜୀବନ ସିନା

ସାରଥି ବିହୁନେ ରଥୀ ଯେସନ

ସେ ଏକା ସ୍ଫୁଲିଙ୍ଗ ମୁଁ ବାରୁଦ ଶୃଙ୍ଗ

ସଂଯୋଗରେ ହୁଏ ମୋ ବିସ୍ଫୋରଣ ।


ସମସ୍ତ ଶିକ୍ଷକ  ପ୍ରିୟ ପ୍ରଶିକ୍ଷକ

ଯାହାଙ୍କ ସାନ୍ନିଧ୍ୟେ ମୋର ପୂର୍ଣ୍ଣତା

ଢାଳୁଛି ପ୍ରଣାମ ଘେନ ମୋର ପ୍ରେମ

ପ୍ରକାଶି ହୃଦୟୁ ମୋ କୃତଜ୍ଞତା ।


ବିଶ୍ୱ ମାନବତା  ଅହିଂସାର ଗାଥା

ଗାଉଥିବି ସଦା ଲଳିତ ସ୍ୱରେ

ମଥାରେ ମୋ ହାତ ରଖ ଲୋକନାଥ

ଜୀବ ହିତେ ଜୀବ ଯାଉ ହର୍ଷ୍ୱରେ ।


Rate this content
Log in

Similar oriya poem from Abstract