ଗୁରୁ ସାକ୍ଷାତ ଈଶ୍ୱର
ଗୁରୁ ସାକ୍ଷାତ ଈଶ୍ୱର
ଗୁରୁ ବ୍ରହ୍ମ।,ବିଷ୍ଣୁ , ଗୁରୁ ମହେଶ୍ୱର
ଗୁରୁ ସାକ୍ଷାତ ଈଶ୍ୱର
ଗୁରୁ ପିତା ମାତା ଭାଗ୍ୟର ବିଧାତା
ଗୁରୁ ଶକ୍ତି ଜୀବନର ।
ଜ୍ଞାନର ଵୀଜକୁ ରୋପି ଚାଲୁଥାନ୍ତି
ଜୀବନ ପାଠଶାଳାରେ
ଜାଳି ଜ୍ଞାନାଲୋକ ଅଜ୍ଞାନ ତିମିର
ଖେଦି ଦେଇଥାନ୍ତି ଦୂରେ ।
ଅଙ୍କା ବଙ୍କା ପଥେ ବିଜନ ବେଳାରେ
ଚାଲୁଥାନ୍ତି ଧରି ହାତ
ଚାଲୁଚାଲୁ କେବେ ଥକି ଗଲେ ପଛେ
ଦେଖାନ୍ତି ଆଶାର ପଥ ।
ଶିଷ୍ୟ ପାଇଁ ତାଙ୍କ ଜୀବନ ଉତ୍ସର୍ଗ
ଶିକ୍ଷାରେ ହୁଅନ୍ତି ବ୍ରତୀ
ଜୀବନ ଯୁଦ୍ଧରେ ଜିତେଇବା ପାଇଁ
ଦ୍ରୋଣାଚାର୍ଯ୍ୟ ସାଜିଥାନ୍ତି ।
ଅନ୍ୟାୟ,ଅଧର୍ମ,ପାପ ଓ କୁକର୍ମ
ପ୍ରତିହତେ ଯେତେ କଳା
ଧରମ ଦାଣ୍ଡରେ ଅଗ୍ରସର ହେଲେ
ଶିଷ୍ୟ ତାଙ୍କ ଗଳାମାଳା ।
ଜଳି ଜଳି ନିଜେ ଜଳିବା ଶିଖାନ୍ତି
ସଂସାର ସାଗରେ ଏକା
କର୍ତ୍ତବ୍ୟ ନିଷ୍ଠାରେ ବ୍ରତୀ ହେବା ପାଇଁ
ଦେଉଥାନ୍ତି ସଦା ଶିକ୍ଷା ।
ନୟନ ଅଶ୍ରୁରେ ଚରଣ କମଳ
ଧୋଇ ସେବୁଥିବି ନିତି
ଭକତି ପୁଷ୍ପରେ ଗୁରୁ ପାଦ ଧ୍ୟାୟୀ
ଦିନ ଯାଉ ମୋର ବିତି ।