STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ଗୁରୁ କରୁଣା ସାଗର

ଗୁରୁ କରୁଣା ସାଗର

1 min
286

ଗୁରୁ କରୁଣା ସାଗର, ଭଵ ସାଗର ତାରଣ

ଜ୍ଞାନ ଜ୍ୟୋତି ପ୍ରଦାୟକ ମହା ଭାସ୍କର

ବିପଥେ ଭ୍ରମିତ ହୃଦେ, ବଜ୍ର ଗମ୍ଭୀର ନିନାଦେ

ଆହ୍ୱାନ ଦେଇ ବିପଥୁ କର ଉଦ୍ଧାର

ଗୁରୁ ଭବ ସଙ୍କଟ ହାରୀ

ସମ୍ପୁଛି ପଦେ ଜୀବନ ନିଅ ହେ ବରି।।୧।।


ହୃଦୟ ରାଜୀବାସନେ, ନିର୍ମଳ ମନ ପ୍ରସୂନେ

ତୁମ୍ଭ ଅରଚ୍ଚନା କରେ ଭକତି ଭରେ

ତବ କୃପାମୃତ ଧାରା, ବହୁ ଏ ଜୀବନ ସାରା

ପ୍ରତିକ୍ଷଣ ସମର୍ପିତ ତବ ସ୍ମରଣେ

ଗୁରୁ ଭବସିନ୍ଧୁ ଦିଶାରୀ

ଦଣ୍ଡଧର ଭୟ କ୍ଷଣେ ନିଅନ୍ତି ହରି।।୨।।


ଜ୍ଞାନର ଅସୀମ ବ୍ୟୋମ, ଗୁରୁ ସର୍ବ ତୀର୍ଥ ସମ

ଗୁରୁ ଏକ ମହାତତ୍ତ୍ୱ ସଦା ପୂଜିତ

ମାୟା ବନ୍ଧନ ମୋଚକ, ମୋହଭ୍ରାନ୍ତି ବିଦାରକ

ଆତ୍ମଜ୍ଞାନ ପ୍ରଦାୟକ ସ୍ୱବିରାଜିତ

ଗୁରୁ ଭବ ଜଳ ନାଉରୀ

ସଂସାର ଘୂର୍ଣ୍ଣିବଳୟୁ ନିଅ ଉଦ୍ଧରି।।୩।।


ଗୁରୁ ମହାଶକ୍ତିଶ୍ୱର, ଗୁରୁ ପୂର୍ଣ୍ଣ ନିର୍ବିକାର

ଘୋର ଶର୍ବରୀରେ ଗୁରୁ ପୂର୍ଣ୍ଣ ଶଶାଙ୍କ

ତବ କୃପା କଟାକ୍ଷରେ, କର୍ମର ବନ୍ଧନ ଛିଡ଼େ

ସମାହିତ ହୁଏ ସର୍ବ ଅଛିଣ୍ଡା ଅଙ୍କ

ସଦା ସେ ଜାଗ୍ରତ ପ୍ରହରୀ

ଦୁଃଖ ଦେଇ ଶିଷ୍ୟେ ତେଜ ଦିଅନ୍ତି ଭରି।।୪।।


ପୂର୍ଣ୍ଣ ପ୍ରାଣେ ସମର୍ପଣ, ଗୁରୁ ସନ୍ତୋଷ ବିଧାନ

ଆଦେଶ ପାଳନ କଲେ ନିର୍ବିବାଦରେ

ଏ ମିଛ ମାୟା ସଂସାରୁ, ଉଦ୍ଧାର କରିବେ ଗୁରୁ

ନିରନ୍ତର ନିର୍ଦ୍ଦେଶିତ ସାଧନ କଲେ

ଗୁରୁ ହିଁ ଜୀବନ ପ୍ରଭାରୀ,

ଶୁଦ୍ଧ ଚିତ୍ତେ ତୋଳି ନ୍ୟନ୍ତି ହସ୍ତ ପ୍ରସାରି।।୫।।

*******************

(ଛନ୍ଦ-ଚୋଖି)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational