STORYMIRROR

Sambit Srikumar

Inspirational Children

4  

Sambit Srikumar

Inspirational Children

ଗୁଗୁଲ୍ ଗୁରୁ

ଗୁଗୁଲ୍ ଗୁରୁ

2 mins
992


ପଢିଥିଲି ମୁହିଁ ଗପବହିରେ

ଶୁଣିଥିଲି ଆଈମା କାହାଣୀରେ

ମହାଭାରତ ମହାକାବ୍ୟରେ

ମହାପୁରୁଷ ଉଦ୍ଧବଙ୍କର ଥିଲେ

କାଳେ ଚବିଶ ଗୋଟି ଗୁରୁ

ବ୍ରହ୍ମ କୀଟ ସ୍ଥାବରଜଙ୍ଗମ

ମନୁଷ୍ଯ ଉଦ୍ଭିଦ ଯାହାଠାରୁ ବି

ଶିଖିଲେ କିଛି ଉପାଦେୟ ଶିକ୍ଷା

ସଭିଙ୍କୁ ମଣିଥିଲେ ସେ ଗୁରୁ!!

ଆଜି ତ ମୁଁ କାହାଠୁ କାହିଁକି ଶିଖିବି

କାହିଁକି କହିବି ମଣିବି କାହାରିକୁ ମୋର ଗୁରୁ

ମୋର ତ ସାହା ଭରସା ଗୁଗୁଲ୍ ଗୁରୁ

ଯାହା ବି ଚାହୁଁଛି ଯେଉଁ ପ୍ରଶ୍ନର ଉତ୍ତର

ଖୋଜୁଛି ସବୁ ତ ମିଳୁଛି ସେଠୁଁ

ଆଉ କାହା ପାଖକୁ ଯିବି ମୁହିଁ କାହିଁ ପାଇଁ ?

ଏମିତି ଖିଆଲରେ ଲେଖକ ହେବାକୁ

ମନ ମୋର ବଳାଇଲି ଦିନେ

ଖେଳାଇଲି ପୋଥି ନବୁଝି ପାରିଲି

ଉପେନ୍ଦ୍ର ଅଭିମନ୍ୟୁ ଦୀନକୃଷ୍ଣ ରୀତି ଗୀତି

ଭାବ ନାହିଁ ମୋର କାହୁଁ

ଯେ ଆସିବ ଭାବୋଛ୍ବାସ ଅଭିବ୍ୟକ୍ତି ?

ଆଧୁନିକ କବିତା ରଟିଲି କେତେ ମୁଁ

ବିନିଦ୍ର ଅହର୍ନିଶି ତଥାପି ଧରି ପାରିଲିନି

ଲେଖିବାକୁ ଲୋଡ଼ା ଯେଉଁ ଧାରା

କଷିଲି ଗଣିତ ଉପପାଦ୍ୟ କେତେ 

ଅମାନିଆ ଶବ୍ଦ ଦେଲେ ନାହିଁ ଧରା!!

ସଭିଏଁ କହିଲେ ସୃଜନଶୀଳତା ପାଇଁ

ଲୋଡ଼ା ଐଶ୍ବରିକ ଆଶୀର୍ବାଦ

ଏଇ ତ ନୁହଁଇ ପୋଥି ପତ୍ର ପାଠ

ରଟି ହୋଇଯିବ ଲେଖକ

କଠୋର ସାଧନାର ପଥ ଏଇ

ନୁହଁଇ ସଭିଙ୍କ ପକ୍ଷେ ସମ୍ଭବ!!

କେମିତି ଲେଖିବି କଣ ଲେଖିବି ସବୁ

ପ୍ରଶ୍ନର ହୋଇଲା ସମାଧାନ

କେହି ତ ଶୁଭେଚ୍ଛୁ କହିଲେ

ଯାଅ ଗୁଗୁଲ୍ ଗୁରୁଙ୍କ ଶରଣ

ଜାଣିନ କି ଗୁଗୁଲ୍ ଗୁରୁଙ୍କ ପାଇଁ

ଆଜି ଦେଶରେ ମାଳ ମାଳ

ବୁଲୁଛନ୍ତି ଯନ୍ତ୍ରୀ ମନ୍ତ୍ରୀ ତନ୍ତ୍ରୀ ଡାକତର ?

ଗୁଗୁଲ୍ ପୃଷ୍ଠାରୁ ଆହରଣ କରି

ଲେଖିବାକୁ ନାନା ଉପାଦାନ

ଗଢିଲି ଶବ୍ଦର ସୌଧ ଇମାରତ

ଗଳ୍ପ କବିତା ଆଉ କେତେ କଣ

ଅନୁବାଦ ଅନୁକରଣ ଅପହରଣରେ

ଲଗାଇଲି ପୂର୍ଣ୍ଣ ମନଯୋଗ ଅପଣାର

ନକଲ କରିବାରେ ହୋଇଗଲି ମାଷ୍ଟର

କପି ପେଷ୍ଟ ପୋଷ୍ଟ ମୋର କାରବାର!!

କିଛିଟା ଦିନର ଅନ୍ତରାଳରେ

ମୁଁ ବି ହୋଇଲି ପକ୍କା ଲେଖକରେ ଗଣା

ମୌଳିକତା ଯାଞ୍ଚ କରିବାକୁ ତ

ଏଠି ନାହିଁ ସମୟ କାହାର

ସଭିଏଁ ଏଠି ବାଃ ବାଃ କହିବାର

ଆଜି ମୁଁ ଜିତୁଛି ରାଶି ରାଶି ପୁରସ୍କାର

ମାନପତ୍ର ଉପଢୌକନ ସଭା ସମିତିରେ

ସବୁ ସମ୍ଭବ ଅନ୍ତର୍ଜାଲରେ ଅନ୍ୱେଷଣ ବଳରେ

ସାଧନା ରହିତ କଷଣ ରହିତ ଜୀବନ

ସେଥିପାଇଁ କରୁଅଛି ଗୁଗୁଲ୍ ଗୁରୁଙ୍କ

ଚରଣ କମଳେ ଶତ ଶତ ନମସ୍କାର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational