ଗ୍ରୀଷ୍ମ
ଗ୍ରୀଷ୍ମ
ବସନ୍ତର ଅନ୍ତେ ନିଦାଘ ଆସିଛି
ହେଉଅଛି ଟାଣଖରା
ସୂର୍ଯ୍ୟଙ୍କର ସେହି ପ୍ରଖର ରଶ୍ମିରେ
ଛଟପଟ ହୁଏ ଧରା ।
ନିଦାଘର ତୀବ୍ର ଦାରୁଣ ସ୍ପର୍ଶରେ
ଅସହ୍ୟ ଆଜି ଏ ଧରା
ବିଜ୍ଞାନ ବଳରେ ମଣିଷ ସମାଜ
ଧରାକୁ ମଣୁଛି ସରା ।
ଗ୍ରୀଷ୍ମର ସେହି ବିଷମ ଜ୍ୱାଳାରେ
ଜଳୁଅଛି ଆଜି ମହୀ
ସଙ୍କଟ ବେଳରେ ମଣିଷ ସମାଜ
ଡାକୁଅଛି ତ୍ରାହିତ୍ରାହି ।
ପୋଖରୀ ଗାଡ଼ିଆ ନଦୀନାଳ କୂପ
ଗଲାଣିତ ସବୁ ସୁଖି
ପାଣିଟୋପେ ପାଇଁ ଏ ଜୀବଜଗତ
ହେଉଅଛି ବଡ଼ ଦୁଃଖି ।
ଏସି ଫ୍ରିଜ ପଙ୍ଖା ଗଛଛାଇ ତଳେ
କଟିଯାଏ ପୁରାଦିନ
ଥଣ୍ଡା ସରବତ ଦହି ପଖାଳକୁ
ଖୋଜୁଥାଏ ସଦାମନ ।
ଫୁଟି ତରଭୁଜ ପଇଡ଼ କାକୁଡି
ଗ୍ରୀଷମରେ ଲୋଡାହୁଏ
ଦହିପଖାଳ କାଞ୍ଜି ତୋରାଣୀରେ
ମନତୃଷ୍ଣା ମେଣ୍ଟିଥାଏ ।
ଅଂଶୁଘାତ ଭୟ କରୁଛି ଅଥୟ
ନେଉଛି କେତେ ଜୀବନ
ବୁଝୁନାହଁ ଜମା ମଣିଷ ସମାଜ
ଚେତୁନାହିଁ ତା'ର ମନ ।
ବେଳ ଥାଉ ଥାଉ ସାବଧାନ ହେବା
କରିବାନି ଜଳନଷ୍ଟ
ଜଙ୍ଗଲ କୁ ସଦା ସୁରକ୍ଷା କରିବା
ନହେଲେ ପାଇବା କଷ୍ଟ ।