ଜୟ ମାଆ ଦୁର୍ଗା
ଜୟ ମାଆ ଦୁର୍ଗା
ଶରତ ଆସିଛି ଏ ଧରା ଧାମକୁ
ପ୍ରକୃତିର ଶୋଭା ନେଇ
କାଶତଣ୍ଡି ନାଚେ ବିଲ ପ୍ରାନ୍ତରରେ
ପାର୍ବଣର ବାସ୍ନା ପାଇ ।
ଘଣ୍ଟ ହୁଳହୁଳି ମୃଦଙ୍ଗ କାହାଳୀ
ଶୁଭେ ଆଜି ଚଉଦିଗେ
ମାତା ଦଶଭୁଜା ଆବାହନେ ଆଜି
ଆନନ୍ଦରେ ମନ ଜାଗେ ।
ତୁମ ଆଗମନେ ହସିଉଠେ ଧରା
ସହର ଓ ପଲ୍ଲୀପୁର
ଆନନ୍ଦ ଉଲ୍ଲାସ ଖେଳିଯାଏ ମନେ
ଦୁଃଖ ହୋଇଯାଏ ଦୂର ।
ଏ ଧରିତ୍ରୀ ଆଜି ଶ୍ରୀହୀନ ଦିଶୁଛି
କରୋନା କରିଛି ଗ୍ରାସ
ମାତା ଆଦିଶକ୍ତି ଦୁଃଖ ଦୂରକରି
ଫୁଟାଅ ମନରେ ହସ ।
ହେ ସଙ୍କଟହାରିଣୀ ଦୁର୍ଗତିନାଶିନୀ
ଶକ୍ତିରୂପୀ ନାରାୟଣୀ
ଜାତିଗୋତ୍ର ଭୁଲି ସଭିଙ୍କ ହୃଦୟେ
ବିଜେ ହୁଅ ଠାକୁରାଣୀ ।
ଏ ସାରା ସଂସାରୁ ଦୁଃଖ ଦୂରକରି
ବରଷାଅ କୃପା ବୃଷ୍ଟି
ତୁମ ପାଦେ ମୋର ଏତିକି ମିନତି
ରଖ ସଦା ଶୁଭଦୃଷ୍ଟି ।
ମାନବ ତ ଆଜି ଦାନବ ସାଜିଛି
କରେ ନାରୀ ଅତ୍ୟାଚାର
ନାରୀ ରକ୍ତେ ପାପୀ ହୋଲି ଖେଳୁଅଛି
ବଢୁଛି ପାପର ଭାର ।
ଦୁର୍ଗତି ନାଶିନୀ ମହିଷା ମର୍ଦ୍ଦିନୀ
ପାପୀ ଙ୍କୁ କର ସଂହାର
କରୁଣାର ବର୍ଷା ବରଷିଯାଉ ମାଆ
ଜଗତ ହେଉ ଉଦ୍ଧାର ।
ଯାହା ମୁଁ ପାଇଛି ସବୁ ତୁମ ଦାନ
ଆଉ କିଛି ମାଗୁ ନାହିଁ
ମାଗୁଅଛି ମୁହିଁ ତୁମ ଆଶୀର୍ବାଦ
ଜଗତ ଉଦ୍ଧାର ପାଇଁ ।
