ଘରଣୀକୁ ମୋର ଦୂରୁ ଜୁହାର
ଘରଣୀକୁ ମୋର ଦୂରୁ ଜୁହାର
ଭାବିଥିଲି ଦିନେ ପ୍ରେମ କବିତାରୁ
ଲେଖିଦେବି ଦୁଇଧାଡ଼ି
ରୋମାଣ୍ଟିକ ହୋଇ ଲେଖିଲା ବେଳକୁ
ଘରଣୀ ଆସିଲା ମାଡି ।
ପାଖକୁ ଆସି ମୋ ଘରଣୀ କହିଲା
କଣ ସେ ଲେଖୁଛ ବସି
ଟିକିଏ ଲେଖୁଛ ଟିକିଏ ଭାବୁଛ
ଦଉଛ ମୁରୁକି ହସି ।
ତେରେଛା ନଜରେ ଦେଖିଲା ଘରଣୀ
ପ୍ରେମ କବିତାକୁ ମୋର
ରାଗ ତମତମ ଘରଣୀ କହିଲା
ଉଜାଡ଼ିଦେଲ ମୋ ଘର ।
ଅଧା ବୟସରେ ଭାବ ପୀରତିଟା
କୋଉଠୁ ଆସିଲା ମାଡି
ପର ଝିଅ ସଙ୍ଗେ ପୀରତି ଆସର
ନିଜ ଘରଣୀକୁ ଛାଡି ।
ମୋତେ ଛାଡ଼ି ତୁମେ ଆଉ କାହା ସାଥେ
କରିଛ ଫିକର ଫନ୍ଦି
କୋଉ ପୋଡାମୁହିଁ ତା ମାୟା ଜାଲରେ
ତୁମକୁ କରିଛି ବନ୍ଦୀ ।
ରଘୁଆ ବୋଉର ଛାଞ୍ଚୁଣୀକୁ ଦେଖି
ଛାଡ଼ିଗଲା ମୋର ନିଶା
ପ୍ରେମ କବିତାଟି ଏତିକିରେ ଥାଉ
କରନାହିଁ ଲୋକ ହସା ।
ରଘୁଆ ବୋଉର ମୁଣ୍ଡେ ହାତ ଥୋଇ
କରିଲି ଶପଥ ପାଠ
ତୁମେ ଥାଉ ଥାଉ ଆଉ କାହା ସାଙ୍ଗେ
ପଢିବିନି ପ୍ରେମ ପାଠ ।