ଜୀଵନ ସାଥି
ଜୀଵନ ସାଥି
ଜୀବନଟା ଏକ ଅଙ୍କାବଙ୍କା ରାସ୍ତା
ଉଠାଣି ଗଡାଣି ସାଥେ
ସହଯାତ୍ରୀ ରୂପେ ସାଥିଟିଏ ହୋଇ
ଆସିଲ ଜୀବନ ପଥେ ।
ଚାଲିବାକୁ ଅଛି ପଥ ବହୁ ଦୂର
ତୁମକୁ ସାଥିରେ ନେଇ
ଚାଲୁଚାଲୁ କେବେ ଥକି ପଡିବିନି
ଅଧା ବାଟେ ଛାଡ଼ିଦେଇ ।
ମୋ ମନ ମନ୍ଦିରେ ଆସିଲଗୋ ତୁମେ
ପ୍ରଦୀପର ଶିଖା ସାଜି
ଆଲୋକିତ କଲ ମୋ ଚଲାପଥକୁ
ଦୂରେଇ ଅନ୍ଧାର ରାଜି ।
ଦୁଃଖର ଯୁଇରେ କେତେ ଯେ ଜଳିଲ
ଜୀବନକୁ ରଖିବାଜି
ସଂସାର ରଥକୁ ଗଡେଇନେଲ ଯେ
ରଥର ସାରଥି ସାଜି ।
ଟଙ୍କା ପଇସାରେ ଖୁସି ମିଳେ ନାହିଁ
ମରୀଚିକା ଅଟେ ସିଏ
ବ୍ୟସ୍ତ ଜୀବନରେ ଶାନ୍ତି ପାଇବାକୁ
ସାଥିଟିଏ ଲୋଡ଼ା ହୁଏ ।
ଜୀବନ ସାଥିର ମଧୁର ସମ୍ପର୍କ
ଅପାସୋରା ସ୍ମୃତି ସିଏ
ଶେଷ ନିଃଶ୍ୱାସେ ବି ମନେପଡୁଥିବ
କୋକେଇ ଉଠିବା ଯାଏଁ ।
ଜୀବନେ ଆସିଛି କେତେ ଝଡଝଞ୍ଜା
ଭାଙ୍ଗି ତ ପଡିନି ମୁହିଁ
ସହିବାକୁ ମୋତେ ସାହସ ଦେଇଛ
ପାଖେପାଖେ ମୋର ରହି ।
ତୁମ ସ୍ନେହ ଶ୍ରଦ୍ଧା ଆଦର ଗୌରବ
ଭୁଲିକି ପାରିବି ଆଉ
ସାତ ଜନ୍ମର ଏ ଅତୁଟ ବନ୍ଧନ
ଯୁଗେ ଯୁଗେ ରହିଥାଉ ।