ଗ୍ରୀଷ୍ମ ମିଆଦ
ଗ୍ରୀଷ୍ମ ମିଆଦ
ମଧୁମାସ ଅନ୍ତେ ଗ୍ରୀଷମ ଆସେ ଧରାପୃଷ୍ଠକୁ
ନିଦାଘ ବୈଶାଖେ ଆସଇ ଧରି ରୌଦ୍ର ତାପକୁ ll1ll
ସୂର୍ଯ୍ୟଙ୍କ କିରଣ ଜ୍ୱାଳାରେ ଧରା ସନ୍ତପ୍ତ ହୁଏ
ଅସହ୍ୟ ଦାବ ଦହନ ରେ ଜଗତ କଷ୍ଟ ପାଏ ll2ll
ଆମ୍ରକୁଞ୍ଜୁ ଶୁଭେ ନାହିଁଟି ପିକ ପଞ୍ଚମ ତାନ
ଝିଙ୍କାରୀ ବିକଟ ସ୍ଵନରେ ଫାଟି ପଡଇ କାନ ll3ll
ଦକ୍ଷିଣ ଦିଗରୁ ଆସଇ ଝାଞ୍ଜି ପବନ ବହି
ଗୁଳୁଗୁଳି କରେ ବ୍ୟଥିତ ଜନଜୀବନ ସେହି ll4ll
ନଦୀ ପୁଷ୍କରିଣୀ ନିର୍ଝର ଜଳ ଶୂନ୍ୟ ହୁଅଇ
ବୃକ୍ଷଲତା ସବୁ ଝାଉଁଳେ ଜଳଜୀବ କାନ୍ଦଇ ll5ll
ହତଶ୍ରୀ ଦିଶଇ ଧରଣୀ ସବୁ ବନ ପ୍ରାନ୍ତର
ଜଳସ୍ଥଳ ପ୍ରାଣୀ ତୃଷ୍ଣାରେ ହେଇଥାନ୍ତି ଆତୁର ll6ll
ତୀକ୍ଷଣ ଶର ମାରେ ମଧ୍ୟାହ୍ନେ ସୌର ମଣ୍ଡଳ ସାଇଁ
ପ୍ରଚଣ୍ଡ ଉତ୍ତାପ ଆଘାତେ ଅଂଶୁଘାତ ହୁଅଇ ll7ll
କାଳବଇଶାଖୀ ବିଜୁଳି ତାର ତାଣ୍ଡବ କରେ
ଅକାଳେ ଜୀବନ ନିଅଇ ଦୁଃଖ ଦିଏ ସଂସାରେ ll8ll
ଅସ୍ଥିର କରଇ ଜଗତ କ୍ଲାନ୍ତି ଦିଏ ସଭିଙ୍କୁ
ବନାଗ୍ନି ଦହନେ ନାଶଇ ବୃକ୍ଷ ତରୁଜୀବଙ୍କୁ ll9ll
ଆମ୍ବ ତରଭୁଜ ପଣସ ତାଳ ଖଜୁରୀ ଦେଇ
ବିଦଗ୍ଧ ପ୍ରାଣେ ଶୀତଳତା କିଛି କ୍ଷଣ ଭରଇ ll10ll
ହେନା,ମଲ୍ଲୀ, ଚମ୍ପା, ମାଳତୀ, ବଉଳ ଫୁଲ ବାସେ
ଗୁଳୁଗୁଳି ଝାଞ୍ଜି ତାତିକୁ ସାୟଂ ପବନ ନାଶେ ll11ll
ନିରସ ତାପ କ୍ଲିଷ୍ଟ ପ୍ରାଣ ରସମୟ ହୁଅନ୍ତି
ଭାଇଚାରା ବାଣ୍ଟି ପରବ ଏ ସମୟେ ପାଳନ୍ତି ll12ll
କାକଟପୁରରେ ମଙ୍ଗଳା ଝଙ୍କଡରେ ସାରଳା
ବାଙ୍କିର ଚର୍ଚ୍ଚିକା ପୀଠରେ ଝାମୁଯାତରା ମେଳା ll13ll
ଶୀତଳ ଷଷ୍ଠି ଓ ଚନ୍ଦନ ଦୋଳ ପଣା ସଂକ୍ରାନ୍ତି
ସାବିତ୍ରୀ ଶ୍ରୀରାମ ନବମୀ ପାଳି କଷ୍ଟ ଭୁଲନ୍ତି ll14ll
ନିଷ୍ଠୁର ହେଲେବି ଗ୍ରୀଷମ ଅଟେ ଜଗତ ମିତ୍ର
ମଉସୁମୀ କରେ ଆହ୍ୱାନ ଏ ତ ଵିଧି ନିଶ୍ଚିତ ll15ll
