ଗୃହଲକ୍ଷ୍ମୀ
ଗୃହଲକ୍ଷ୍ମୀ
ଆମ ସମାଜରେ ହିନ୍ଦୁ ପରିବାରେ
ଅଛି ବହୁ ବିଶେଷତ୍ୱ,
ଯାହା ଅନ୍ୟ ଦେଶେ ଅବା ଅନ୍ୟ ଧର୍ମେ
ଅଲଗା ଦର୍ଶନ ତତ୍ୱ |
ଧର୍ମ ଅନୁରାଗୀ ହିନ୍ଦୁ ପରିବାର
ଗୃହେ କରେ ଦେବ ପୂଜା,
ମନ୍ଦିର ବି ଯାଏ ଦେବ ଦରଶନେ
ପାର୍ବଣରେ ମୂର୍ତ୍ତି ସଜ୍ଜା |
ସ୍ୱତନ୍ତ୍ର ଭାବନା ମନେ ଭରିଥାଏ
ପରିବାରେ ସ୍ନେହ ଶ୍ରଦ୍ଧା,
ପରସ୍ପରେ ଥାଏ ନିବିଡ଼ ବନ୍ଧନ
ନଥାଏ ସେଥିରେ ଦ୍ଵିଧା |
ଅସରା ମମତା ପାଏ କୁଳବଧୂ
ସତେ କି ସେ ଗୃହଲକ୍ଷ୍ମୀ,
ବଂଶର ସମ୍ମାନ ରକ୍ଷା କରେ ସିଏ
ହୋଇ ସ୍ୱାମୀ ଅନୁଗାମୀ |
ବ୍ୟବହାରେ ମାଖି ମଧୁର ପ୍ରଲେପ
ସଭିଙ୍କୁ ନିଜର କରେ,
ସର୍ବ ସୁଲକ୍ଷଣୀ ହୋଇ ସବୁ କାର୍ଯ୍ୟ
ତୁଲାଇ ଥାଏ ସୂଚାରେ |
ଶାଶୁ ଶ୍ୱଶୁରଙ୍କ ସେବାରେ ଗୁରୁତ୍ୱ
ଗୁରୁଜନେ ଭକ୍ତି ଭାବ,
ଦେବର, ନଣନ୍ଦେ ମାତୃତ୍ୱର ଶ୍ରଦ୍ଧା
ବାଣ୍ଟେ ରଖି ସଦଭାବ |
ଦେବପୂଜା କରି ଥାଏ ସେ ଭକ୍ତିରେ
ସଭିଙ୍କର ସୁଖ ଚିନ୍ତି,
ସଞ୍ଜେ ସଞ୍ଜବତୀ ତୁଳସୀ ମୂଳରେ
ଜାଳିଥାଏ ପ୍ରୀତେ ନିତି |
ରୋଷେଇ ଶାଳାରେ ଅତି ଯତନରେ
ଯାହା ରାନ୍ଧେ ଭଲ ଲାଗେ,
ସତେ ଅନ୍ନପୂର୍ଣ୍ଣା ବାଢି ଯେ ଦିଅନ୍ତି
ହସି ହସି ଅନୁରାଗେ |
ଭାବନାରେ ଥାଏ ଭଲ ପାଇବାର
ଅସରା ସୁଗୁଣ ଭରି,
ଗୃହଲକ୍ଷ୍ମୀ ହୋଇ ଜୀବନ ସାର୍ଥକ
କରେ ସ୍ୱାର୍ଥ ତ୍ୟାଗ କରି |
