ଗୃହ ବନ୍ଦୀ - 9
ଗୃହ ବନ୍ଦୀ - 9
ସ୍ପଷ୍ଟ ଦିବାଲୋକରେ
କାହା ହାତ ସ୍ପର୍ଶରେ
ନିଦ୍ରା ଭାଜି ଯାଏ
ତତଲା ନିଃଶ୍ବାସର
ପ୍ରଖର ଉଷ୍ଣତା ଆଉ
ମୁକୁଳା ଶରୀରର
ବିବଶତାରେ ll
ଦୂରକୁ ଦୂରକୁ ସ୍ବପ୍ନ ସବୁ
ଭାସିଯାଏ
ମହାକାଶର ଅଜଣା ମୁଲକକୁ
ନୂତନ ପ୍ରଜାତିର ସନ୍ଧାନ
ଅବଶୋଷରେ ll
ରକ୍ଷଣଶୀଳ ସମାଜର
ନିୟତି ଆଇନ୍ କାନୁନ୍
ସବୁ ଜଳାଞ୍ଜଳୀ ଦେଲାପରେ
ଲଜ୍ଜାହୀନ ପ୍ରାୟେ
ଦୋଷ ସ୍ବୀକାରର
ଆତ୍ମଗ୍ଲାନିରେ ll
ଚାତକ ପକ୍ଷୀର ଅହରହ
ଆଶା ଭଳି
ଆକାଶର ପତିତ ଜଳକୁ
ପାନ କରିବାର ଆକାଂକ୍ଷାରେ
ପ୍ରୟାସରତ ବାରମ୍ଵାରେ ll
ଗୃହବନ୍ଦୀ ଜୀବନଟା
ବଡ ଅସହଜ
ତୁମ ବିନା
ଏ ଜ୍ୱାଳା ଯନ୍ତ୍ରଣା
ପ୍ରଶମିତ କେବେ ହେବ
ସେଇ ପ୍ରତୀକ୍ଷାର ଅନ୍ତକୁ
ଚାହିଁ..
ନବମ ଦିବସରେ ଉପନୀତ ll

