ଗପଟିଏ କହୁଁ
ଗପଟିଏ କହୁଁ
ଗପ ଶୁଣିବ ହୁଁ ମାରିବ
ଶୋଇ ପଡିବ ନାହିଁ,
ବରଗଛରେ ଖୁସିରେ ରହୁ
ଥିଲେ ଚଢ଼େଇ ଦୁଇ।
ମାଆ ଚଢ଼େଇ ହୋଇଲା ଗର୍ଭ
ଅଣ୍ଡା ଚାରୋଟି ଦେଲା,
ଚାରୋଟି ଛୁଆ ଫୁଟିଲେ ଯେଣୁ
ମାଆର ଦୁଃଖ ଗଲା।
ବାପା ତାଙ୍କର ଡାଳକୁ ଡାଳ
ବଣକୁ ବଣ ଡେଇଁ,
ଅତି ଆନନ୍ଦେ ଉଡୁ ଥିଲା ସେ
ନିଜକୁ ଭୁଲିଯାଇ।
ଆଉ ତ ସିଏ ଫେରିଲା ନାହିଁ
ହଜିଲା କେଉଁ ବଣେ,
ଛୁଆ ଚାରୋଟି ମୁହଁକୁ ଚାହିଁ
ମାଆ ବଞ୍ଚିଛି ଏଣେ।
କେମିତି ବଡ଼ ହୋଇବେ ଛୁଆ
ମାଆର ଚିନ୍ତା ବଢ଼େ,
ଛୁଆଙ୍କ ପେଟେ ଆହାର ପାଇଁ
କେତେ ସଙ୍ଗ୍ରାମ କରେ।
ଛୁଆ ବଢ଼ିଲେ ମାଆର କୋଳେ
ଦେଲେ ସେ ଖଣ୍ଡିଉଡା,
ମାଆର ଓଠେ ହସ ଫୁଟିଲା
ମିଳେ ସରଗ ପରା।
ପିଲାଏ ଥରେ ମାଆ ମୁହଁକୁ
ଚାହିଁକି ପଚାରିଲେ,
କହ ଲୋ ମାଆ କେ ଆମ ବାପା
କୁଆଡେ଼ ସିଏ ଗଲେ?
ଅନ୍ଯ ପିଲାଏ କହନ୍ତି କାଳେ
ଆମେ ଜାରଜ ବୋଲି,
ତାଙ୍କ ଭାଷାରେ ତୁ କୁଆଡେ଼
ଅଟୁ ଲୋ ବାରବୁଲି।
ଯଦି ତୁ ମାଆ ସତୀ ସାବିତ୍ରୀ
ଦେଖା ବାପାଙ୍କୁ ଆଣି,
ନୋହିଲେ ଆମେ ଅଣବାବୁଆ
ଏ କଥା ଯିବୁ ଜାଣି।
ଏକଥା ଶୁଣି ବଜ୍ର ପଡ଼ିଲା
ମାଆ ଚଢ଼େଇ ମୁଣ୍ଡେ,
ଭାଗ୍ଯକୁ ନିନ୍ଦି ମୁଣ୍ଡକୁ ପିଟି
ଲୁହ ଗଡ଼େଇ କାନ୍ଦେ।
ବଡ ଦୁଃଖିନୀ ହତଭାଗିନୀ
ମୋ ଭଳି କେହି ନାହିଁ,
ସ୍ଵାମୀ ମୋହର କାହିଁ ରହିଲେ
ମୋତେ ତ ଛାଡ଼ିଦେଇ।
କେଉଁ ସୁନ୍ଦରୀ ପ୍ରେମରେ ପଡି
କିବା ଭୁଲିଲେ ମୋତେ,
ମୁଁ ପୋଡ଼ା ମୁହିଁ ବଞ୍ଚି ମରଇ
ସହେ ଗଞ୍ଜଣା କେତେ।
ଯାହାଙ୍କୁ ଥଣ୍ଟେ ଆହାର ଦେଇ
ଡେଣା ମୁଁ ଲଗେଇଲି,
ତାଙ୍କୁ ଉତ୍ତର ଦେଇ ନ ପାରି
ଦୋଚାରୁଣୀ ମୁଁ ହେଲି।
ଏ ନୀରବତା ଦେଖି ପିଲାଙ୍କ
ସନ୍ଦେହ ଗଲା ବଢ଼ି,
ଅସହ୍ୟ ଭାଷା କହିଲେ ଯାହା
ବହୁ ଧିକ୍କାର କରି।
ଛୁଆଙ୍କ ଗାଳି ସହିନପାରି
ଜୀବନ ଦେବ ହାରି,
ଏକଥା ମନେ ନିଷ୍ପତ୍ତି ନେଇ
ମାଆ ତ ଗଲା ଉଡ଼ି।
ଥଣ୍ଟରେ ବିଷ ଧରିଛି ମାଆ
ମରିବ ନିଶ୍ଚେ ଖାଇ,
ଏହି ସମୟେ ସ୍ଵାମୀଟି ତାର
ଆସିଲା କିନ୍ତୁ ଧାଇଁ।
କେଉଁ କାରଣେ ମରିବୁ ସଖୀ
ମୋ କଥା ଥରେ ଶୁଣ,
ଖୁସିରେ ଯେବେ ଉଡୁଥିଲି ମୁଁ
ପିଲା ହୋଇଲେ ଜନ୍ମ।
ଏହି ସମୟେ ନିଷ୍ଠୁର ବ୍ଯାଧ
ନେଲା ତ ମୋତେ ଧରି,
ପଞ୍ଜୁରୀ ମଧ୍ୟେ ବଞ୍ଚିଥିଲି ମୁଁ
ଆଖିରୁ ଲୁହ ଢାଳି।
ମରିମରି ମୁଁ ଆଜି ବଞ୍ଚିଛି
ତୁମକୁ ଝୁରିଝୁରି,
ଭାଗ୍ୟ ବଶତଃ ତୁମ ପାଖକୁ
ଆଜି ଆସିଲି ଫେରି।
ଦୟାଳୁ ସେହି ଦେବତାଟିଏ
ବ୍ଯାଧଠୁଁ ମୋତେ କିଣି,
ମୁକ୍ତ ଆକାଶେ ଉଡ଼ାଇ ଦେଲେ
ମୋ ମନ କଷ୍ଟ ଜାଣି।
ଶୁଣି କାହାଣୀ ପିଲାଏ ପୁଣି
ବାପାଙ୍କୁ ଗଲେ ପାଇ,
ମାଆର ଖୁସି କିଏ କହିବ
ସ୍ଵାମୀ ପାଖରେ ଥାଇ।
ଗପଟି ମୋର ସରିଲା ପିଲେ
ଫୁଲ ଗଛଟି ମଲା,
ଛାଇ ଆଲୁଅ ଏଇ ଜୀବନ
ଧନ୍ୟ ଉପରବାଲା।
