Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Chandra Mudra

Abstract Others

4  

Prabodha Chandra Mudra

Abstract Others

ଗଣପତି ବନ୍ଦନା

ଗଣପତି ବନ୍ଦନା

1 min
368


ନମୋସ୍ତୁତେ ଗଣପତି ପ୍ରଭୁ ଗଜାନନ

ଅଗ୍ରପୂଜ୍ୟ ବିନାୟକ ବିଘ୍ନବିନାଶନ

    ପ୍ରଭୁ ଶ୍ରେଷ୍ଠ ବିଦ୍ୟାଦାତା

ଜ୍ଞାନ-ବୁଦ୍ଧି ପ୍ରଦାୟକ ସର୍ବସିଦ୍ଧିଦାତା ।


ବକ୍ରତୁଣ୍ଡ ମହାକାୟ ପ୍ରଭୁ ଏକଦନ୍ତ

ଗଜବକ୍ତ୍ର ଶ୍ରୀଗଣେଶ ଦେବ ଉମାସୁତ

    ପ୍ରଭୁ ସର୍ବମୟ କର୍ତ୍ତା,

ସକଳ କାର୍ଯ୍ୟ ନିର୍ବିଘ୍ନ କରନ୍ତୁ ସର୍ବଦା ।


ସୂର୍ଯକୋଟି ସମପ୍ରଭ ଅଟେ ତୁମ ଜ୍ୟୋତି

ଅଖିଳ ବ୍ରହ୍ମାଣ୍ଡ ନାଥ ତୁମେ ସର୍ବଶକ୍ତି

     ପ୍ରଭୁ କାର୍ତ୍ତିକ ଅବର ,

ଖର୍ବ ଓ ସ୍ଥୂଳ ଶରୀର ତୁମେ ଲମ୍ବୋଦର ।


ଗଜେନ୍ଦ୍ର ବଦନ ପ୍ରଭୁ ତୁମେ ଧୂମ୍ରବର୍ଣ୍ଣ

ପ୍ରସନ୍ନ ବଦନ ଦୃଶ୍ୟ, ହେ ଦୁଃଖନାଶନ !

    ବିଘ୍ନେଶ୍ବର ବିଘ୍ନହର୍ତ୍ତା ,

ସକଳ ପ୍ରାଣୀର ତୁମେ ଭାଗ୍ୟ ବିଧାତା ।


ଭାଲେ ଚନ୍ଦ୍ର ବିରାଜିତ ଅତି ମନୋହର

ବିକଟ ରୂପରେ ତୁମେ ଦୁଷ୍ଟକୁ ସଂହାର

    ପ୍ରଭୁ ଭୁବନମୋହନ,

ସାଧୁ, ସନ୍ଥ କରୁଥାନ୍ତି ତୁମର ବନ୍ଦନ ।

 

କୃଷ୍ଣପିଙ୍ଗଳ ନେତ୍ର ଯେ ଦିବ୍ୟ ଶୋଭାବନ

ବିବିଧ ରୂପରେ ପ୍ରଭୁ ତୁମେ ପଞ୍ଚାନନ

     ପ୍ରଭୁ ସଙ୍କଟ ମୋଚନ,

ସକଳ ପ୍ରାଣୀଙ୍କୁ ଦୟାକର ଅନୁକ୍ଷଣ ।


ପାଶ-ଅଙ୍କୁଶ-ପୁସ୍ତକ କରିଛ ଧାରଣ

ମୋଦକ ପ୍ରିୟ ଠାକୁର ଅତି ଦୟାବାନ 

     ଗୌରୀ ମାନସ ନନ୍ଦନ ,

ଗାଣପତ୍ୟଙ୍କର ତୁମେ ଅଟ ଭଗବାନ ।


ବୁଦ୍ଧି ପରୀକ୍ଷାରେ ଜ୍ଞାନ କଲ ପ୍ରଦର୍ଶନ

ପିତୃ ଚତୁଃପାର୍ଶ୍ବେ ପ୍ରଭୁ କଲ ପ୍ରଦକ୍ଷିଣ

    ହୋଇ ମୂଷିକ ସବାର,

ପିତା ଯେ ଅଟନ୍ତି ସ୍ବୟଂ ବ୍ରହ୍ମାଣ୍ଡ ଠାକୁର ।


ବକ୍ତା ରୂପେ ବ୍ୟାସ ଶ୍ଳୋକ କରିଲେ ଗାୟନ

ଶୁଣି ଲେଖିଗଲ ମହାଭାରତ ପୁରାଣ

     ଦିବ୍ୟ ଜ୍ଞାନର ନଧାନ,

ଜଗତରେ ସର୍ବପୂଜ୍ୟ ହୋଇଲ ଆପଣ ।


 ତବ ଶ୍ରୀଚରଣାମ୍ବୁଜେ କରେ ପ୍ରଣିପାତ

 ଅଭୟ ମୁଦ୍ରାରେ ପ୍ରଭୁ କର ଆଶୀର୍ବାଦ 

     ମୋର ବନୀତ ପ୍ରାର୍ଥନା,

ପୂର୍ଣ୍ଣ କର ସମସ୍ତଙ୍କ ମନର କାମନା ।


Rate this content
Log in

Similar oriya poem from Abstract