ଘୁଙ୍ଗୁର
ଘୁଙ୍ଗୁର
ପାଦରେ ଘୁଙ୍ଗୁର ବାନ୍ଧି ଦେଲେ ପ୍ରିୟା
କେତେ ଭଲ ଲାଗୁ ତୁ
ଭ୍ରମର ପରିକା ତୋ ପ୍ରେମେ ପାଗଳ
ତୋ ପାଖକୁ ଆସେରେ ମୁଁ ।
ମୁଁ ତ ଡାକେନି ପାଖକୁ ମୋହର
ତୁ କାହିଁ ଭାବୁ ଏତେ
ପଛରେ ପଡି ତୁ ଭଲ ପାଇବାଟା
ଦେଖେଇ ହେଉଛୁ କେତେ ।
ବୁଝି ପାରିବୁନି ସେ ଭଲ ପାଇବା
ସାସ୍ବତ ପ୍ରେମ ତ ଇଏ
ତୋ ପାଦ ଘୁଙ୍ଗୁରେ ବିଭୋର ହୋଇ ମୁଁ
ତୋତେ ପରା ଭଲ ପାଏ ।
ଏମିତି ଅନେକ ଭଲ ପାଇବାଟା
ଦେଖିଛି ନୟନେ କେତେ
ମିଛ ଆଶ୍ବାସନା ଛଳନା ବାହାନେ
ଭସାନ୍ତି ପ୍ରେମର ସ୍ରୋତେ ।
ସେ ପ୍ରେମର ସ୍ରୋତ ଚିର ସ୍ରୋତସ୍ବନୀ
ସାଗରେ ମିଶିବା ପାଇଁ
କେତେ ବନ ଗିରି ପାହାଡ ପର୍ବତ
ସବୁ ଆସି ଥାଏ ଡେଇଁ ।
ନୁହେଁ ମୁଁ ତଟିନୀ ବନ ନିର୍ଝରିଣୀ
ନା ତୁରେ ପାରାବାର
ମଧୁରେ ମଧୁରେ ମଧୁଛନ୍ଦା ନୃତ୍ୟେ
ସଙ୍ଗୀତେ ମୁଁ ରେ ବିଭୋର ।
ତୁ ତ ବିଭୋର ସଙ୍ଗୀତ ମୁର୍ଚ୍ଛନେ
ମୁଁ ତୋ ପ୍ରେମରେ ଭାଇ
ଲାଗୁଥାଏ ସତେ ଗୋପ ବୃନ୍ଦାବନ
ମୁଁ କାହ୍ନୁ ତୁ ମୋ ରାଈ ।
କେମିତି ନିଜକୁ ଭାବୁଛୁ ତୁ କାହ୍ନୁ
ଲାଜ ନାହିଁ ଟିକେ ମୁଖେ
ଆକାଶ ଚନ୍ଦ୍ରମା ଜଳରେ ଦେଖି କି
ଭାବୁଛୁ ଆସିଛି ପାଖେ ।
ପାଖ ଅବା ଦୂର ତୁ କି ବୁଝିବୁ
ଘୁଙ୍ଗୁର ଜାଣିଛି ସବୁ
ଭଲ ପାଇବାଟା କେତେ ଯେ ଗଭୀର
ପଚାରିକି ବୁଝି ନେବୁ ।