ଘର ମୋ ସ୍ୱର୍ଗ
ଘର ମୋ ସ୍ୱର୍ଗ
ବିଚିତ୍ର ଏ ସୃଷ୍ଟି ରଚିଛନ୍ତି ସ୍ରଷ୍ଟା
ସଂସାର ଉଠିଛି ପୂରି
ସୁଖ ଦୁଃଖରେ ଭରପୁର ଅଟଇ
ଜଣା ଏଠି ଘରକରି ।।
ନର୍କ ସ୍ୱର୍ଗ କାହିଁ କିଏ ବା ଦେଖିଛି
ଏଠି ସବୁ ହୁଏ ଭୋଗ
ଯେଉଁ ଘରେ ନାହିଁ ସ୍ନେହ ଆଉ ପ୍ରେମ
ତାହା ନ ହୁଅଇ ସ୍ୱର୍ଗ ।।
ସେହି ଘର ସ୍ୱର୍ଗ ସମାନ ଅଟଇ
ଭାବ ଓ ବିଶ୍ୱାସ ନେଇ
ମିଠା ସମ୍ଭାଷଣ ସୁଖ ଦିଆ ନିଆ
ନିରନ୍ତର ଚାଲୁ ଥାଇ ।।
ସେହି ଘରେ ମୋର ଭାଇ ଓ ଭଉଣୀ
ହସେ ବିତୁଅଛି ଦିନ
ସେମାନଙ୍କ ସ୍ନେହ ପ୍ରେମ ଓ ପ୍ରୀତିରେ
ନିଜକୁ ମଣୁଛି ଧନ୍ୟ ।।
ଘର ପଥ ଯେତେ ହେଲେ କଣ୍ଟକିତ
ଝରଇ ଖୁସିର ବାରି
ହସ କାନ୍ଦ ସବୁ ସ୍ମୁରତି ହୁଅଇ
ନିଏ ଆପଣାର କରି ।।
ମାନ ବିମାନର କ୍ଷଣିକ ଦଖଲ
ମନ କରେ ବିଚଳିତ
ରକ୍ତର ସମ୍ପର୍କ ଛିଡେଇ ପାରେନା
ବେଶି ହୁଏ ମଜବୁତ ।।
ପିତା ମାତା ମୋର ଚଳନ୍ତି ଠାକୁର
ଘର ମଧ୍ୟେ ବିରାଜିତ
ଲଭୁଥାଏ ସଦା ଆଶିଷ ତାଙ୍କର
ପଦେ କରି ପ୍ରଣିପାତ ।।