ଘୋଡ଼ାନାଚ ଗୀତ
ଘୋଡ଼ାନାଚ ଗୀତ
ଧନ୍ୟ ଲୋ ମାଆ ମଙ୍ଗଳା,
କୈବର୍ତ୍ତ କୂଳରେ ମୋ ଜନ୍ମ ହେଲା,
ଗାଇବୁଲେ ତୋର ଲୀଳା ll
ଘୋଡ଼ା ନାଚେ ଥେଇ ଥେଇ,
ମଙ୍ଗଳେ ମଙ୍ଗଳା ବନ୍ଦଇ ମୁହିଁ,
ମାଆ ଦେବୁ ପଦ କହି ll
ଗାଇବି ଅପୂର୍ବ ଗାଥା,
ଶ୍ରୀ ରାମାୟଣରୁ ରାମଙ୍କ କଥା,
ସୁଜନେ କାନ ଡେରିଥା ll
ତ୍ରେତୟା ଯୁଗର ଲୀଳା,
ବିଧିରେ ବିଧାନ କି ଲେଖିଥିଲା,
ରାମେ ବନବାସ ହେଲା ll
ଦଶରଥ ମହାରାଜା,
ସୁଖେ ପାଳୁଥିଲେ ଅଯୋଧ୍ୟା ପ୍ରଜା,
ତିନୋଟି ତାଙ୍କ ଭାରିଜା ll
ସର୍ବେ ଅତି ସୁଲକ୍ଷଣୀ,
କୌଶଲ୍ୟା,କୈକେୟୀ,ସୁମିତ୍ରା ରାଣୀ,
ସର୍ବେ ପତି ସୁହାଗିନି ll
କାଳେ ହେଲେ ଚାରି ପୁତ୍ର,
ଶ୍ରୀରାମ, ଲକ୍ଷ୍ମଣ, ଶତ୍ରୁଘ୍ନ, ଭରତ,
ରାଜା ହେଲେ କୃତ୍ୟକୃତ୍ୟ ll
ବାର୍ଦ୍ଧକ୍ୟ ହୋଇଲା ଆସି,
ଦଶରଥ ଚିନ୍ତା କରନ୍ତି ବସି,
ରାମେ ଅଯୋଧ୍ୟା ଭରସି ll
ଏମନ୍ତ ବିଚାରି ରାଜା,
ଅବଧରେ ବାଜେ ତେଲିଙ୍ଗି ବାଜା,
ରାମ ହେବେ ଯୁବରାଜା ll
ଆହା କି ବିଧାନ ବିହି,
ମନ୍ଥରା ବୁଦ୍ଧିରେ ଭୁଲି କୈକେୟୀ,
ମାଗିଦେଲେ ବର ଦୁଇ ll
ଏକେ ଭରତ ରାଜା ହେବ,
ଦ୍ଵିତୀୟରେ ରାମ ବନକୁ ଯିବ,
ତେବେ ଜୀବନ ରହିବ ll
ଚଉଦ ବରଷ ଭାଇ,
ରାମ ଅରଣ୍ୟରେ ବୁଲିବେ ଯାଇ,
ବନ୍ୟ ଫଳ ମୂଳ ଖାଇ ll
ଶ୍ରୀ ରାମ ଶୁଣିଲେ ଏହା,
ପିତୃସତ୍ୟ ଆନ ହୋଇବ କିଆଁ,
ଧନ୍ୟ ଲୋ କୈକେୟୀ ମାଆ ll
ସଙ୍ଗେ ସୀତୟା ସୁନ୍ଦରୀ,
ଭାଇ ଲକ୍ଷ୍ମଣକୁ ସାଥିରେ ଧରି,
ରାମ ହେଲେ ବନଚାରୀ ll
ବନେ ପାଇ ନାନା କ୍ଳେଶ,
ଦଣ୍ଡକ ବନରେ ଚଉଦ ବର୍ଷ,
ସୀତା ହରିଲା ଲଙ୍କେଶ ll
ଭସ୍ମ ହେଲା ସ୍ୱର୍ଣ୍ଣ ଲଙ୍କା,
ହନୁ ଜଳାଇଲେ ହୋଇ ନିଶଙ୍କା,
ବୃକ୍ଷ ଭାଙ୍ଗି ଝଙ୍କା ଝଙ୍କା ll
ଧରି କପି ଭାଲୁ ବଳେ,
ଶ୍ରୀ ରାମ ସାଗରେ ସେତୁ ବାନ୍ଧିଲେ,
ଲଙ୍କେ ରାବଣ ବଦ୍ଧିଲେ ll
ବୈଦେହୀ ଉଦ୍ଧାର କରି,
ଶ୍ରୀ ରାମ ଫେରିଲେ ଅବଧପୁରୀ,
ବାଜେ ମଙ୍ଗଳ ମହୁରୀ ll
ଜୟ ଜୟ ମା ମଙ୍ଗଳେ,
ରାଜୀବ ଲୋଚନ ତୋତେ ପୂଜିଲେ,
ଲଙ୍କେ ରାବଣ ବଦ୍ଧିଲେ ll
ଧନ୍ୟ ଧନ୍ୟ ସଭା ଜନ,
ଶୁଦ୍ଧି ସମାଜ ମୋ ପ୍ରଣାମ ଘେନ,
ଚ୍ଛାର କୈବର୍ତ୍ତ ଅଜ୍ଞାନ ll
