ଗଛ
ଗଛ
ଧରଣୀ ମାଆର ସୁରକ୍ଷା ପାଇଁକା
ଗଛ ହୁଏ ସଦା ସାହା
ସମାଜ ହିତରେ ସିଏ ଲାଗିଥାଏ
ବତାସେ ହୁଅଇ ଠିଆ ।।
ଦୂଷିତ ବାୟୁକୁ ଶୋଷି ନେଇକରି
ଦେଇଥାଏ ଅମ୍ଳଜାନ
ବାଟୋଇକି ସଦା ଛାଇ ଦେଇକରି
ମେଣ୍ଟାଏ ସେ ଥକାପଣ ।।
ପକ୍ଷୀମାନେ ସବୁ ବସା ବାନ୍ଧିଥାନ୍ତି
ଖୁସିରେ ଶାଖାରେ ତାର
ପିଲାମାନେ ହନୁ ମାଙ୍କଡ଼ ସହିତ
ଖେଳନ୍ତି କରି ଆଦର ।।
କାଠକୁ ତାହାର ଜାଳେଣୀ କରିଣ
ମାଆ ରାନ୍ଧିଦିଏ ଖାଦ୍ୟ
ମହା ଆନନ୍ଦରେ ସଭିଏଁ ଖାଆନ୍ତି
ବଢିଯାଏ ତାର ସ୍ବାଦ ।।
ଫଳ ଫୁଲ ପତ୍ର ଭକ୍ଷଣ କରିଣ
ଜୀବ ହୁଏ ବଳବାନ
ଚେର ମୂଳେ ତାର ସାଇତି ରଖିଛି
ବହୁ ଔଷଧୀୟ ଗୁଣ ।।
ଗରମ ଦାଉରୁ ରକ୍ଷା କରେ ସିଏ
ଦେଇକି ଶୀତଳ ବାଆ
ଉତ୍ତପ୍ତ ପୃଥିବୀ ଥଣ୍ଡା ପଡିଯାଏ
ପଡିଲେ ଗଛର କାୟା ।।
ଅବୁଝା ମଣିଷ ନିର୍ଦ୍ଦୟ ଭାବରେ
ଜଙ୍ଗଲ କାଟଇ ନିତି
ଭୁଲିଯାଏ ତାର ଉପକାର ଯେତେ
ବୃକ୍ଷର ହୁଅଇ ଇତି ।।
