ଗାଁ ଡାକେ ହାତ ଠାରି
ଗାଁ ଡାକେ ହାତ ଠାରି
ସେଦିନ ରାତିରେ ସ୍ୱାମୀଙ୍କର ଚେତା ଫେରୁନଥିଲା, ଫୋନ ପରେ ଫୋନ ଯେତେ କରୁଥିଲେ ତଳ ମହଲା ର ପରିବାର ସବୁଙ୍କୁ, କେହି ଧରୁ ନଥିଲେ, ଏମିତି କି ଘନିଷ୍ଠ ସାଙ୍ଗ ବୋଲାଉ ଥିବା ସୁଦାମ ବାବୁ ବା ବିପ୍ରଚରଣ ବା ଅନାମ ସାହୂ, କେହିବି ନୁଂହ, ପିଲାଦିଟା କାକୁସ୍ଥ ହୋଇ ଠିଆ ହୋଇଥାନ୍ତି, ପୁଣି ସବିତା ଙ୍କ ଲୁହ ଦେଖି ଚିତ୍କାର କରୁଥାନ୍ତି.
ଶେଷ ରେ ପହଂଚିଥିଲେ ଗାଁ ର ଦାନେଇ ଦାଦା, ଖମାରି ଭାଇ, ପୁତୁରା ପୁତୁଲ, ଯେଉଁ ମାନେ କି ରକ୍ତର ନହେଲେ ବି ଗାଁ ଭାଇ, ଖାଲି ହସ୍ପିଟାଲ ନୁଂହ, ପିଲାଂକ ସହ ତାଙ୍କୁ ଓ ରୁଗ୍ଣ ସ୍ୱାମୀ ଙ୍କୁ ଟିକେ ଭଲ ହେଲା ପରେ ନେଇ ଆସିଥିଲେ ଜୋର କରି ଗାଁ କୁ, ତ,ଆସିବା ବେଳେ ଯୋଉ ତଳ ମହଲରେ ଥିବା ପଡ଼ୋଶିନୀ ପ୍ରତିବେଶୀ, ସାଙ୍ଗ ସାଥି ବୋଲାଉଥିବା ପରିବାର ଫୋନ ନଉଠେଇଥିଲେ ପଚାରୁଥିଲେ କି କଣ ହେଇଛି କୁଆଡେ ଯାଉଛ, ନିରୁତ୍ତର ରହିଥିଲେ ସବିତା.
ଗାଁରେ ପହଂଚିବା ପରେ ଅନିଖୁଡ଼ି ଜଳାଭିଷେକ କରୁଥିଲେ ଶିବ ମନ୍ଦିରରେ, କୁନି କକେଇ ତ୍ରିନାଥ ମେଳା କରୁଥିଲେ ସ୍ବାମୀଙ୍କ ଶୁଭ ମନାସି, କାଶିଆ ଗଉଡ଼ ଦେଇଯାଉଥିଲା କାଳି ଗାଇ ଖିର ସ୍ୱାମୀ ପିଇବେ ବୋଲି, କିଏ ଆସି ସ୍ୱାମୀ ଙ୍କୁ ଆଉଁଷି ଦେଇ ଯାଉଥିଲେ ତ କିଏ ତାଙ୍କ ପିଠି ଥାପୁଡ଼େଇ ବେସ୍ତ ନହେବାକୁ ପରାମର୍ଶ ଦେଇ ଆମେ ସବୁ ଅଛୁ କହୁଥିଲେ.
ଏ ଭିତରେ ସ୍ୱାମୀ ସୁସ୍ଥ ହେଇସାରିଥିଲେ, ଆଉ ପାଖ ସହରକୁ ଯିବାକୁ ବାହାରୁଥିଲେ ତ ସବିତା କହିଥିଲେ, ସେ ଏହି ଗାଁରେ ହିଁ ରହିବେ, ପିଲାଙ୍କ ନାମ ଏହି ଗାଁ ସ୍କୁଲରେ ହିଁ ଲେଖାଇବେ, ତ ସ୍ୱାମୀ କହୁଥିଲେ ସହରରେ ତମକୁ ସାଙ୍ଗ ମାନେ ଖୋଜିବେ ଯଦି କି ଉତ୍ତର ଦେବି ରେ ସବିତା କେବଳ ଶାଶୁଙ୍କ ଫୋଟୋରୁ ମଉଳି ଯାଇଥିବା ଫୁଲ କାଢି ସଜ ଫୁଲ ଦେଇ ମୁଣ୍ଡିଆ ମାରୁଥିଲେ, ତାଙ୍କର ମନେପଡ଼ୁଥିଲା ନୂଆ ବାହାଘରେ ଯେବେ ଏଇ ଖୁଡୀ, ପିସି ମାଉସୀ ଶାଶୁ ମାନେ ତାଙ୍କ ବିଞ୍ଚଣା ରେ ଗୋଡହାତ ଲମ୍ବେଇ ବସିଯାଆନ୍ତି ଓ ଶାଶୁ ସେମାନ ଙ୍କୁ ମୋଡି ଦେବାକୁ କହନ୍ତି, ସେ କେତେ ବିରକ୍ତ ହୁଅନ୍ତି ମନେ ମନେ, ସେଇ ନୁଆ ନୂଆ ବେଳେ ଗୁରୁଜନ ଙ୍କ ଗୋଡ଼ଧୂଆ ପାଣି ପିଇବା କେତେ ଯେ କଷ୍ଟ.
ସେ ଯୋଉ ଦିନ ଜିଦ କରି ଗାଁ ଛାଡିଥିଲେ ଶାଶୁ ପ୍ରତିବାଦ କରିନଥିଲେ, ବରଂ କହିଥିଲେ ଯୋଉଦିନ ଏ ଗାଁ ର ଓ ଗାଁଲୋକଙ୍କ ମନ ଚିହିଁବୁ, ଫେରିବୁ ଗାଁକୁ, ହେଲେ ମୁଁ ନଥିବି, ଆଜି ସେଇ ଶାଶୁଙ୍କ ଫୋଟୋ ପାଖେ ଠିଆ ହୋଇ ଭୋ ଭୋ କାନ୍ଦୁଥିଲେ ସବିତା, ସ୍ୱାମୀ କଣ କହୁଥିଲେ, ଶୁଭୁ ନଥିଲା ତାଙ୍କୁ
