STORYMIRROR

SARATA KUMAR DAS

Fantasy Others

3  

SARATA KUMAR DAS

Fantasy Others

ଏମିତିକା ଏ ରାଇଜ ମୋର

ଏମିତିକା ଏ ରାଇଜ ମୋର

1 min
142

ବଣ-ବିଲ-ନଈ-ପାହାଡ ଘେରା

ସବୁଜ କେଦାର କାନନେ ଭରା,

ଚନ୍ଦନ ଚନ୍ଦନ ମାଟିର ବାସ

ହସେ କିରିକିରି ନୀଳ ଆକାଶ,

     ଏମିତିକା ଏ ରାଇଜ ମୋର

କଳକଳ ସୁରେ ବହେ ଯେଉଁଠାରେ

     ଫଲ୍ଗୁର ଧାର  ।।

ମହାନଦୀ-କାଠଯୋଡି-ବ୍ରାହ୍ମଣୀ

ବିରୂପା-ଚିତ୍ରୋତ୍ପଳା-ବୈତରଣୀ,

ବାରବାଟୀ ଦୁର୍ଗ କହେ ଅତୀତ

ବାଲିଦ୍ବୀପେ ମେଲୁଥିଲା ବୋଇତ,

     ଏମିତିକା ଏ ରାଇଜ ମୋର 

ସାଧବାଣୀଙ୍କର ଶଙ୍ଖ ହୁଳହୁଳି

       ଭାରି ମଧୁର  ।।

ଛବିଳ ସରଳ ମଧୁର ଭାବ

ନାଁ ଟି ତାହାର ମଧୁ ବର୍ଣ୍ଣବୋଧ,

କହେ ଏ ମାଟିର ଆଦ୍ୟ ଅକ୍ଷର

ପୂଜ୍ୟ ଆମ ପାଇଁ ସଦା ଜୁହାର,

     ଏମିତିକା ଏ ରାଇଜ ମୋର

ଶୁଭେ ଯେଉଁଠାରେ ସକାଳରୁ ସଞ୍ଜ 

     ତା' ପୁଣ୍ୟ ସ୍ବର  ।।

କବି ଭାବୁକ କେତେ ଜ୍ଞାନୀଜନ

ଫକୀର ମୋହନ, ମଧୁସୂଦନ,

ପୁଣି ସ୍ବଭାବ କବି ଗଙ୍ଗାଧର

ଲେଖନୀର ମୂନେ ଚିର ଅମର,

    ଏମିତିକା ଏ ରାଇଜ ମୋର

ଯହିଁ ଶୁଭେ ନିତି ଭୀମ ଭୋଇଙ୍କର

    ପୁଣ୍ୟ ବିଚାର   ।।

ମନ୍ଦିର ମାଳିନୀ ଏ ଦେବଭୂଇଁ

କେତେ ପୂଜା ପର୍ବ ଆସଇ ନଇଁ,

ମହୋଦଧି ଛୁଏଁ ଚରଣ ଯା'ର

ଚିର ବିଦ୍ୟମାନ ଶିରୀ କ୍ଷତର 

     ଏମିତିକା ଏ ରାଇଜ ମୋର 

ଆଖି ଲାଖିଯାଏ ଦେଖିଦେଲେ ଥରେ

     ସୂର୍ଯ୍ୟ ମନ୍ଦିର   ।।

ଉତ୍କଳର କଳା ଚମକ ଭରା

ସଦା ଝଲମଲ ରୂପ ନିଆରା,

ରୂପା-ତାରକସି ଚକିତ କରେ

ହୃଦୟେ କମ୍ପନ ବିଶ୍ବଜନରେ,

      ଏମିତିକା ଏ ରାଇଜ ମୋର 

ଯେଉଁଠାରେ ଲେଖା କେତେ କାରିଗରି

      ଶିଳ୍ପୀଙ୍କ ସ୍ବର   ।।

ଓଡିଶୀ ,ଝୁମର ଜଗତେ ଶ୍ରେଷ୍ଠ

ମାଦଳର ତାଳେ ମନ ଉଚ୍ଚାଟ,

କେତେ ଛାନ୍ଦ ଚମ୍ପୁ ମନକୁ ମୋହେ

ଚାରୁ ଚିତ୍ରକଳା ମଥାରେ ଶୋହେ,

     ଏମିତିକା ଏ ରାଇଜ ମୋର

ଥରେ ଚାହିଁଦେଲେ ପେଟ ପୂରିଯାଏ

      ସୌନ୍ଦର୍ଯ୍ୟ ତା'ର  ।।

ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ 

ମନେ ଦେଖାଦେଲା କେତେ ଯେ ଦ୍ବନ୍ଦ,

ତରବାରି ନିଶା ଥିଲା ପ୍ରଖର

ହିଂସା ଛାଡି କଲେ ଧର୍ମ ପ୍ରଚାର,

       ଏମିତିକା ଏ ରାଇଜ ମୋର 

ଚଣ୍ଡାଶୋକରୁ ସେ ଧର୍ମାଶୋକ ହେଲେ

       ମଗଧ ବୀର   ।।

ବକ୍ସି ଜଗବନ୍ଧୁ ,ବାଜି ରାଉତ

ଧର୍ମପଦ ବାରବର୍ଷ ବାଳୁତ,

ଜାତିରକ୍ଷା ପାଇଁ ଜୀବନ ଦେଲେ

କାଳକାଳକୁ ସୁଯଶ ରଖିଲେ,

      ଏମିତିକା ଏ ରାଇଜ ମୋର 

ତ୍ୟାଗ ବଳିଦାନେ ହସେ କିରି କିରି

      ଏ ସ୍ବର୍ଗପୁର  ।।

କେତେ ବୈଜ୍ଞାନିକ ହୋଇଲେ ଜନ୍ମ 

ବୁଦ୍ଧି ବଳେ କଲେ ମାଟିକୁ ଧନ୍ୟ,

ପଠାଣୀ ସାମନ୍ତ ଚନ୍ଦ୍ରଶେଖର 

ବାଉଁଶ ନଳୀରେ କଲେ ବିଚାର ,

    ଏମିତିକା ଏ ରାଇଜ ମୋର 

ଯଶ କୀରତିରେ ଭରପୂର ମାଟି

      ରତ୍ନ ଭଣ୍ଡାର  ।।


Rate this content
Log in

Similar oriya poem from Fantasy