ଏକତା ହିଁ ବଳ
ଏକତା ହିଁ ବଳ
ଏକତା ହିଁ ବଳ ତହିଁରେ ହିଁ ଶକ୍ତି
ତା'ର ତୁଳନାରେ କାହିଁ
ବଳ ଏକତାରେ ସବୁ ସିଦ୍ଧି ହୁଏ
କହିବାର କିଛି ନାହିଁ ।
ହୋଇ ଏକତ୍ରିତ କରିଲେ ଟି କାର୍ଯ୍ୟ
ଅସମ୍ଭବ ଯେ ସମ୍ଭବ
ହୁଏ ଏକତାରେ ରାଷ୍ଟ୍ର ହିତେ କାର୍ଯ୍ୟ
ମିଳେ ସମ୍ମାନ ଗୌରବ ।
ସେତୁବନ୍ଧ ପରା ବାନ୍ଧିଲେ ଭକ୍ତିରେ
ପ୍ରଭୁ ରାମଙ୍କ ଆଜ୍ଞାରେ
ହୋଇ କର୍ମଯୋଗୀ ସମ୍ଭବ କାର୍ଯ୍ୟକୁ
କରିଲେ ପୂର୍ଣ୍ଣ ବାନରେ ।
ରାଷ୍ଟ୍ର ଶକ୍ତି ଜ୍ୟୋତି ଯୁବା ଓ ଯୁବତୀ
ଉଠି ପୋଡ଼ ନିଦ୍ରା ତେଜି
ଏକତା ବଳରେ ହୁଅ ସଙ୍ଗଠିତ
ରାଷ୍ଟ୍ରକୁ ଦିଅ ତୁ ସାଜି ।
ରାଷ୍ଟ୍ରର ନିର୍ମାଣେ ଲାଗିପଡ଼ ଯୁବା
ଅମୃତ କାଳ ଆସିଛି
ସବୁ କ୍ଷେତ୍ର ଆଜି ଆତ୍ମନିର୍ଭରଟି
ସ୍ବାଗତ ବିଶ୍ବ କରୁଛି ।
ନୂଆ ଆବିଷ୍କାର କର ତୁ ରାଷ୍ଟ୍ରରେ
ନୂଆ ଇତିହାସ ଭର
ମହତ୍ତ୍ଵକୁ ବୁଝ ଅନ୍ୟକୁ ବୁଝାଅ
ମନ୍ତ୍ର ଏକତାର ଧର ।
ଭାବ ଏକତାର ଗୁଞ୍ଜୁ ଅନ୍ତର୍ଗତେ
ରହୁ ଅହିଂସାର ମନ୍ତ୍ର
ରାଷ୍ଟ୍ରଭକ୍ତି ପ୍ରୀତି ଧର୍ମ କର୍ମ ଜ୍ଞାନ
ଯୁବା କର ନିଜ ତନ୍ତ୍ର ।
କୀର୍ତ୍ତି ଓ ଗୌରବ ବିଶ୍ବରେ ସମ୍ମାନ
ବଢ଼ୁଛି ଆଜି ଦେଶର
ନୂଆ ଇତିହାସ ଲେଖ ଆଜି ଯୁବା
କର ନୂଆ କଳେବର ।
ସଂସ୍କୃତି ସଂସ୍କାର ଅମୂଲ୍ୟ ଭୂଷଣ
କର ହେ ତାକୁ ସୁରକ୍ଷା
ଆରାଧ୍ୟ ଆମର କୃଷ୍ଣ ରାମ ଜଗା
କର ସନାତନ ରକ୍ଷା ।
ହିଂସା ଦ୍ୱେଷ ଭାବ ନ ରହୁ ଜୀବନେ
ରହୁ ତ୍ୟାଗ ବଳିଦାନ
ମନ୍ତ୍ର ଏକତାର ରହୁ କର୍ମପଥେ
ରହୁ ପ୍ରେମ ଶ୍ରଦ୍ଧା ଜ୍ଞାନ ।
