STORYMIRROR

Krushna Chandra Lenka

Abstract Action Inspirational

4  

Krushna Chandra Lenka

Abstract Action Inspirational

ଏକା ଏକା

ଏକା ଏକା

1 min
376

ଦଶ ବରଷର ବାଳୁତ ପିଲା ନାଆଁ ତା' ଜ୍ଞାନ,

ଖେଳକୁଦ ତାର ବୟସେ ବିତେ ଦୁଃଖେ ଜୀବନ।

ମନେ ଥିଲା ଯା'ର ଏକଦା ଅସୁମାରୀ ସପନ,

ତଥାପି ଜୀବନେ ତାହାର ଭାଙ୍ଗି ଯାଇନି ମନ।

ପିତା ଗଲେ ଛାଡି ସଂସାର ଏକ ବରଷ ତଳେ,

କେମନ୍ତ ହୋଇବ ମଣିଷ ନିତି ମାଆ ତା' ଭାଳେ।

ମାଆ ଲୁହ ପୋଛି ନୟନୁ ବୁଝାଇ କହେ ତାରେ,

ମଣିଷ ଜନମ ପାଇଛେ ପରା ଏଇ ଧରାରେ।

ବୁଦ୍ଧି ବଳେ ନର ଜିଣଇ ଯଦି ଏଇ ଭୁବନ,

ତେବେ କାହିଁ ଆମେ ନିଜକୁ ଭାଳିବା ଏତେ ହୀନ?

ଖେଳକୁଦ ଛାଡି ମୁଁ ଆଜି ଚଳାଇବି ସଂସାର,

ମନ ଦେଇ ଚାଲୁ ରଖିବି ପାଠ ପଢା ମୋହର,

ଜୀବନେ ଆସୁ ପଛେ ଯେତେ ଏଠି ବାଧା ବିଘିନ,

ପୂରଣ କରିବି ଯତନେ ନିଶ୍ଚେ ମୋର ସପନ।

କ୍ଷୁଦ୍ର ମଧୁମକ୍ଷୀ ଯେମନ୍ତ ନିତି କରିଣ ଶ୍ରମ,

କର୍ମ ଛଡା ତାର ଜୀବନେ ତିଳେ ନାହିଁ ବିରାମ।

ସେଇଭଳି ମୁହିଁ କରମ କରିବି ଘର ପାଇଁ,

ତୋର ଆଶା ସବୁ ପୂରଣ ମାତା ହୋଇବ ତହିଁ।

ଏକାକୀ ଜୀବନେ ଲଢ଼ିବି ଆପଣା ଶିଙ୍ଗେ ମୋର,

ଯେତେ ଦୁଃଖ, କ୍ଳେଶ, ବିପତ୍ତି ସବୁ ହୋଇବ ଦୂର।

ନଳି ଛାଣି ନିତି ତୁ ମତେ ଯୋଗାଇ ଦେଏ ମାଆ,

ତାରେ ନେଇ ବୁଲି ବିକିବି ମୁହିଁ କେତେ ଯେ ଗାଆଁ।

ତାର ବଦଳେ ଯେଉଁ ଅର୍ଥ ଏଠି ପାଇବି ମୁହିଁ,

ସେ ଅର୍ଥେ ଚଳିବ ସଂସାର ସେଥୁ କିଛି ଯେ ନେଇ।

ବଳକା ଅର୍ଥେ ପାଠ ପଢି ମନ ଦେଇ ଯତନେ,

ଭଲ ମଣିଷ ହୋଇ ମୁହିଁ ନାଆଁ ରଖିବି ଦିନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract