ଏକ ତରଫା ପ୍ରେମ
ଏକ ତରଫା ପ୍ରେମ
ମନେ ମନେ ଭଲ ପାଉଥିଲି ମୁହିଁ
ଗୋଟିଏ ସୁନ୍ଦରୀ ଝିଅ
କନକ ବରନା ମୃଗୁଣୀ ନୟନା
ପଦ୍ମ ଫୁଲିଆ ତା ମୁହଁ ।
ଚାଲି ଯାଉ ଥିଲେ ଫୁଟି ଉଠୁଥିଲା
ସତେକି ପଥେ ପଦୁଅଁ
ହସି ଦେଉଥିଲେ ମୁକ୍ତା ଝରୁଥିଲା
ତନୁ ପାତେଳି ତା ଦେହ ।
ଶୟନେ ସପନେ ଭାବୁଥିଲି ମନେ
ସଦା ହସ ହସ ମୁହଁ
ଆକାଶର କୟାଁ ଚିଲିକାର ମାଛ
ଭାବି ମନେ ଉଠେ କୋହ ।
ଭାବିଲି ଦିନେ ମୁଁ କହିବି ତା ଆଗେ
ମୋ ମନ ଅଡୁଆ ସୁତା
ଜଗି ଜଗି ଦିନେ କହିଲି ତା ଆଗେ
ମୋ ମନ କଲା ସେ ପିତା ।
ମୁହଁ ତାର ମୋଡ଼ି ଛାଡିଲା ସେ ରଡି
ଭୟରେ ଥରିଲା ଦେହ
ମନକୁ ବୁଝେଇ ଘଡ଼ିଏ ରହିଲି
ଶୋଇଲି ମାଡି ମୁଁ ମୁହଁ ।
ନାହିଁ ମୋବାଇଲ ଚାଟିଙ୍ଗ କରିବାକୁ
ଚିଠି ଖଣ୍ଡେ ଦେଲି ଲେଖି
କୁନି ପିଲା ହାତେ ପଠାଇ ତା ପାଶେ
ରହିଲି ଉତ୍ତରେ ଟାକି ।
କିକଥା ହେଲାରେ କିକଥା ହେଲାରେ
ତାର ଭାଇ ଶଳା ଆସି
କଥାବାର୍ତ୍ତା ନାହିଁ ବାଇଶି ପୋଳିଆ
ଦେଲା ମୋ ପିଠିରେ କଷି ।
ତଳେ ପଡି ଗଲି ହୋଇ ହାମୁଡ଼େଇ
ଫାଳେ ଦାନ୍ତ ଗଲା ଭାଙ୍ଗି
ସେତିକିରେ ତାର ମନ ବୁଝିଲାନି
ଥାନରେ ଦେଲା ସେ ଠୁକି ।
ମନେ ମନେ କେତେ ଭାବୁଥିଲି ମୁହିଁ
ସପନ ରାଇଜ କଥା
ସେଇ ସପନଠୁ ତା ଭାଇ କରମ
ବଢ଼ାଇ ଦେଲା ମୋ ବ୍ୟଥା ।
ଭାବିବିନି ଦିନେ ପ୍ରେମ କଥା ମନେ
ଫାଳେ ଦାନ୍ତ ଦେଲି ଦାନ
ଏକ ତରଫାର ପ୍ରେମକୁ ଜୁହାର
କେହି ନ ବଳାଅ ମନ ।