ଏକ ପଉଷ ସନ୍ଧ୍ୟା
ଏକ ପଉଷ ସନ୍ଧ୍ୟା
ପଉଷର ଏକ ଗୋଧୂଳି ବେଳାରେ
ନୀରବ ଦର୍ଶକ ସାଜି,
ଦେଖୁଥିଲି ମୁଗ୍ଧ ନୟନ ଯୁଗଳେ
ସନ୍ଧ୍ୟା ସୌନ୍ଦର୍ଯ୍ୟ ରାଜି |
ପଶ୍ଚିମ ଆକାଶେ ଦୂର ପର୍ବତର
ମଥା ଡେଇଁଲେଣି ରବି,
ଲୋହିତ କିରଣେ ପଶ୍ଚିମର ଶୋଭା
ସତେ ଅପରୂପ ଛବି |
ଗୋଧୂଳି ଅଧୀରେ ଉଡେ ଆକାଶରେ
ଶୁଭେ ଗାଈ ହମ୍ବାରଡି,
ଗାଈଆଳ ଟୋକା କଣ୍ଠରେ ସଙ୍ଗୀତ
ବିରହ ରାଗିଣୀ ଧାଡି |
ନୀଳ ଆକାଶରେ ବିହଙ୍ଗମ ଗଣ
ଫେରିଲେଣି ନିଜ ନିଡେ,
ଶୁଭୁଛି କାକଳି ଶାବକେ ଡାକନ୍ତି
ବନ୍ଧା ସତେ କି ନିବିଡ଼େ |
ଶୀତଳ ପବନ ବହେ ଧିରେ ଧିରେ
ଶୀତୁଆ ଲାଗଇ ଦେହ,
ନିରୋଳାରେ ମନ ଖୋଜଇ ପରଶ
ହେବାପାଇଁ ପ୍ରୀତିମୟ |
ଶୀତ ସମୀରଣ ବହିଆଣେ ଧିରେ
ପାଚିଲା ଧାନର ବାସ,
ପୁରିଉଠେ ମନ ନୂତନ ଆଘ୍ରାଣେ
ଭରିଦିଏ ଓଠେ ହସ |
ଦୂର ସୁନା କ୍ଷେତୁ ମାଡି ଆସୁଥାଏ
ପତଳା ଅନ୍ଧାର ଧିରେ,
ଧାନ କାଟିସାରି କୃଷକ ଭାଇ ଯେ
ଘରକୁ ଆନନ୍ଦେ ଫେରେ |
ଚାଷୀଭାଇ ମନ ହୁଏ ପୁଲକିତ
ପଉଷ ଆସିଛି ବୋଲି,
ବରଷକ ଖାଦ୍ୟ ବୋହିନେବ ଗୃହେ
ସତେ ଅବା ସୁନାଥାଳି |
ପର୍ବତ ସେପାରି ଦୂର ଦିଗନ୍ତରେ
ସୂରୁଜ ଗଲେଣି ବୁଡି,
ଦିଗନ୍ତ ଆକାଶ ପିନ୍ଧିଛି କି ସତେ
ଲୋହିତ ରଙ୍ଗର ଶାଢ଼ୀ |
ଶୀତୁଆ ସଞ୍ଜରେ ଶୀତଳ ପବନେ
ମନେ ଭରେ ଉନ୍ମାଦନା,
ଉଚ୍ଚ୍ୱସିତ ଏକ ନବ ଶିହରଣେ
ସ୍ମୃତି କରେ ଆନମନା ।