STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଏକ ହିଁ ଈଶ୍ବର

ଏକ ହିଁ ଈଶ୍ବର

1 min
342


ଏକ ହିଁ ଈଶ୍ବର ସୃଷ୍ଟି ସ୍ଥିତି ଲୟ

କରତା ଅଟନ୍ତି ସିଏ 

ମାଳ ମାଳ ହୋଇ କୋଟି କୋଟି ବିଶ୍ବ

ଲୋମେ ବିରାଜିତ ହୁଏ ।


ପୂର୍ଣ୍ଣରେ ସେ ସ୍ଥିତ ପୂର୍ଣ୍ଣ ତାଙ୍କ ମତି

ଗତି ତାଙ୍କ ପରିପୂର୍ଣ୍ଣ 

ପୂର୍ଣ୍ଣରୁ ପ୍ରକଟ ହୁଅନ୍ତି ଈଶ୍ବର

ରହନ୍ତି ସେ ପରିପୂର୍ଣ୍ଣ ।


ଏକୋଽହଂ ବହୁଷ୍ୟାମି ସେ ବିଚାରିଲେ

ଧରିଲେ ବିଭିନ୍ନ ରୂପ 

ସଂସାର ସିନା ଖେଳା ଲୀଳା ତାଙ୍କର

ବ୍ରହ୍ମରୂପ ଏକ ରୂପ  ।


ନେତି ନେତି ବୋଲି ଉଚ୍ଚାରିଲେ ବେଦ

ପରମପୁରୁଷ ଗୁଣ 

ବ୍ରହ୍ମା ବରୁଣ ରୁଦ୍ର ମରୁତ ଦେବେ

କରନ୍ତି ଯା ସ୍ତୁତି ଗାନ ।


ସାମଗାନକାରୀ ସିଦ୍ଧ ମୁନି ଋଷି

ବେଦ ଉପନିଷଦର 

ତତ୍ତ୍ବର ଆଧାରେ ତଦ୍ଗତ ପ୍ରାଣରେ

ଧ୍ୟାନରତ ସଦା ଯାର ।


ନପାଆନ୍ତି ଅନ୍ତ ଯେଣୁ ସେ ଅନନ୍ତ

ନାମ ଗୁଣ ଯା ଅନନ୍ତ 

ଜନମ କରମ ଦିବ୍ଯ ତାହାଙ୍କର

କିଏ ବା ପାଇବ ଅନ୍ତ  ।


ସକଳ ଜୀବଙ୍କ ବୀଜପ୍ରଦ ପିତା

ସେଇ ଏକ ହିଁ ଈଶ୍ବର 

ସୃଷ୍ଟି ସରଜନା କରି ସେ ରହିଲେ

ବ୍ରହ୍ମାଣ୍ଡ ସଚରାଚର ।


ସବୁରି ହୃଦରେ ବସି ରହିଛନ୍ତି

ସେଇ ଏକ ହିଁ ଈଶ୍ବର 

ସକଳ ଭୂତରେ ଅଧିଷ୍ଠିତ ସିଏ

ମହିମା ଅପରମ୍ପାର  ।


ବହୁ ଜନ୍ମ ଅନ୍ତେ ଜ୍ଞାନ ପ୍ରାପ୍ତ ହୋଇ

ଜ୍ଞାନୀ ତାଙ୍କୁ ପ୍ରାପ୍ତ ହୁଏ 

ଜ୍ଞାନ ଲାଭ କରି ତାଙ୍କୁ ପ୍ରାପ୍ତ ହେଲେ

ଶୀଘ୍ର ପରାଶାନ୍ତି ପାଏ ।


Rate this content
Log in

Similar oriya poem from Inspirational