ଏଇ ତ ଜୀବନ
ଏଇ ତ ଜୀବନ
ବାଳୁତ କାଳରେ ମାଆ ତା ନିଜର
ଚାଡେନି ପଣତ କାନି
ହେତୁ ପାଇଗଲେ ସାଙ୍ଗ ତା ନିଜର
ଖେଳରୁ ମନ ଛାଡ଼େନି ।
ପାଠ ପଢା ବେଳେ ପାଠ ତା ନିଜର
ନିଜର ତା ସାଙ୍ଗ ସାଥି
କିଶୋର ବୟସେ ସଦା ମନ ରସେ
ଫଗୁଣର ଚୋରା ପ୍ରୀତି ।
ମନ ଖୋଜୁଥାଏ ରଙ୍ଗୀନ ଦୁନିଆଁ
ରଙ୍ଗିନ ପରଜାପତି
ଫୁଲରୁ ଫୁଲକୁ ଉଡ଼ି ବୁଲୁଥାଏ
ରଙ୍ଗିନ ତା ଦିନ ରାତି ।
ଉଛୁଳା ତରଙ୍ଗ ଉଛୁଳା ଯୌବନେ
ଧରି ଥାଏ ତାର ମଙ୍ଗ
ପଛ କରିଦିଏ ସାଙ୍ଗ ସାଥୀ ତାର
ଲଭି ପ୍ରେମିକାର ସଙ୍ଗ ।
ବିବାହ ବନ୍ଧନେ ବାନ୍ଧି ହୋଇ ଦିନେ
ଭୁଲି ଯାଏ ପରିବାର
କିଏ ବାପା ମାଆ କେ ଭାଇ ଭଉଣୀ
ଭାରିଜା ଅଟେ ନିଜର ।
ପରିବାର ତାର ତା ଶ୍ଵଶୁର ଘର
ପୁଅ ଝିଅ ଓ ଭାରିଜା
ରକତ ସମ୍ପର୍କେ ରଚି ବାଦ ତର୍କେ
ପଡନ୍ତିନି କେବେ ଖୋଜା ।
ମଧ୍ୟମ ବୟସେ ମନେ ମନେ ହସେ
ଦେଖି ନିଜ ସଫଳତା
ଝିଅ ବାହାଘର ପୁଅ ବାହାଘର
କେତେ ରକମର କଥା ।
ବୃଦ୍ଧ ବୟସରେ ବସି ବାରଣ୍ଡାରେ
ଚାହିଁଛି ହାତ ଟେକାକୁ
ମନରେ ଭାବୁଛି ପୁଣି ପରଖୁଛି
କରିବା ପୂର୍ବ କର୍ମକୁ ।
ଅସହାୟ ମଣି ଦୂରେଇ ଗଲେଣି
ଭାବିଲି ଯା'କୁ ନିଜର
ଫିଙ୍ଗିଲେ ଟେକାଟି ଥୁଆ ପଥରଟି
ବସି ସେ କରେ ବିଚାର ।
ଖୋଜଇ ଶେଷରେ ଜରାଶ୍ରମ ଟିଏ
ସାହାରା ଟିକିଏ ପାଇଁ
କରନ୍ତି ବିଦ୍ରୁପ ଅର୍ଜିବା ସମ୍ପଦ
କାହିଁ ହେଉ ହାଇଁ ପାଇଁ ।
