STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ଏଇ ମୋର ଗାଆଁ କି ସୁନ୍ଦର ଆହା

ଏଇ ମୋର ଗାଆଁ କି ସୁନ୍ଦର ଆହା

1 min
182


       ଏଠି ଅଛି ଖେଳ ଛାଇଆଲୁଅର

              ପ୍ରକୃତିରାଣୀର ଶୋଭା

       ଅଛି ଫୁଲଫୁଟା ସକାଳ ଓ ସଞ୍ଜ

              ଦିଶେ ଯାହା ମନଲୋଭା ।


       ଏଠି ଅଛି ରାବ କୁକୁଡ଼ାର କଅ

              ଡାମରାକାଉର କାଆ

       ଅଛି ଏଠି ଋତୁ ଛବିଳ ବସନ୍ତ

              ଚୋରା ଚଇତାଳି ବାଆ ।


       ଏଠି ଅଛି ମାଇଁ, ମଉସା,ମାଉସୀ

              ମାଆ,ଦାଦା, ଖୁଡ଼ୀ ଡାକ

       ସେନେହ, ଶରଧା,ସରାଗ,ମମତା

              ଅଛି ଏଠି ଥାକ ଥାକ ।


       ଏଠି ଅଛି କଙ୍କି, ରୂପା ପ୍ରଜାପତି

              କୋଇଲିର କୁହୁ ଗୀତ

       ଅଛି ଏଠି ମିଠା କାଳିଗାଈ କ୍ଷୀର

              ଦେହ ପାଇଁ ଯାହା ହିତ ।


       ଅଛି ଝିଙ୍କାରୀର ଝିଇଁ ଝିଇଁ ତାନ

              ମହୁମାଛି ଗୁଣୁଗୁଣୁ

       ବଂଶୀସ୍ବନ ଅଛି ବାଉଁଶବଣର

              ନିଦ ଆସେ ଶୁଣୁ ଶୁଣୁ ।


       ଅଛି କିଆବୁଦା ବିଲୁଆର ରଡ଼ି

              ହନୁମାଙ୍କଡ଼ର ଖେଳ

       ସାରୁବୁଦା ମୂଳେ ଅଛି ବରଷାରେ

              ବେଙ୍ଗବେଙ୍ଗୁଲୀର ମେଳ ।


       ଶାଗ ପଖାଳର ମଜା ଅଛି ଏଠି

              ଖରାଦିନ ଖରାବେଳେ

       ଅଛି ଏଠି ଖୁସି କୁଆଁରୀ ଝିଅଙ୍କ

              ବୋହୂଚୋରି ପୁଚିଖେଳେ ।


       ଏଠି ଅଛି ଧାରା ଶ୍ରାବଣ ସୁଅରେ

              କାଗଜଡଙ୍ଗାର ଧାଡ଼ି

       ଅଛି ଏଠି ଆଈ ଅଛନ୍ତି ବି ଅଜା

              ଅଜାଙ୍କ ବଙ୍କୁଲୀ ବାଡ଼ି ।


       ଏଠି ଅଛି ପିଠା ପୂନେଇଁ ପରବ

              ଅଛି ରଜଦୋଳି ଖେଳ

       ଅଛି ଦିଆନିଆ ଭାଇ ଭାଇ ଭାବ

              ସାଙ୍ଗ-ସୁଖ ପାଇଁ ବେଳ ।


       ଅଛନ୍ତି ଏଠି ମା' ଝାଡ଼ିଦେବେ ଧୂଳି

              ପୋଛିଦେବେ ଆଖିଲୁହ

       ଏଇ ମୋର ଗାଆଁ କି ସୁନ୍ଦର ଆହା

              ଯିବି ଛାଡ଼ି କିଆଁ କୁହ ।


Rate this content
Log in

Similar oriya poem from Inspirational