ଏବେ ବି ଅପେକ୍ଷା
ଏବେ ବି ଅପେକ୍ଷା
ଏବେ ବି ଯନ୍ତ୍ରଣାଦଗ୍ଧ
ତୁମେ ଯିବା ପରେ ପରେ
ନିସ୍ତେଜ ରାତ୍ରି ,ଆଉ
ଉଜାଗରେ ଜଳୁଥାଏ
ଧପ ଧପ୍ ଡିବିରି ଆଲୁଅ
ସବୁ ଯେମିତି କ୍ଷୀଣ ହୋଇ ଆସୁଥାଏ
ନିଶ୍ୱାସ ମୋର ।
ଠିକ୍ ସେତିକି ବେଳେ
ଅସୁମାରୀ ଦୂରଦିଗବଳୟରେ
ନିରୀହ ଜହ୍ନ ଟେ,
ମୁହଁ ପୋତି ଚୁପଚାପ୍ ବସିଥାଏ
ଉଛୁଳା ନଈର ସୁଅରେ
ନୀରବେ ମୁରୁକି ହସୁଥାଏ ।
ନଈ କୂଳେ ଶୀତୁଆ ଶିହରଣ
ଦେହକୁ ହାଲକା କରେ ସତ
ମନକୁ ନିଜଠାରୁ ଉଭେଇଦିଏ
ତୁମ ସେଇ ସରଗ ପରଶ ପାଖକୁ
ପୁଣି ଏ କଣ ପାଇଁ
ଗଲାପରେ ବି ଟାଣି ନେଉଛ ମୋତେ,
ଯନ୍ତ୍ରଣାର ସମାଧି ଉପରକୁ ।
କେମିତି ସବୁ ଘଟିଯାଇଛି
କ୍ଷଣିକ କଡଲେଉଟାରେ,
ଭିନ୍ନ ଏକ ଆକର୍ଷଣ
ଜାଣିନି କିଭଳି ଦୁନିଆରେ
ତୁମେ ରହିଅଛ ଗୋପନେ,
କିନ୍ତୁ ସ୍ବପ୍ନରେ ଆସ
ନୀତି ତୁମେ ପ୍ରୀତି ଉଦ୍ୟାନେ ।