ଏ ବଡ଼ ଅଡୁଆ ଧନ୍ଦା
ଏ ବଡ଼ ଅଡୁଆ ଧନ୍ଦା
ସାତ ଜନମକୁ ହାତ ଧରିଥିଲି
ବେଦିରେ କରି ସଂକଳ୍ପ.
ଏଇ ଜନମରେ ଯାହା ମୁଁ ଭୋଗୁଛି
ବାହା ହେବା ଥିଲା ପାପ ।
ତ୍ରିଶଙ୍କୁ ଅବସ୍ଥା ହେଉଛି ହିନସ୍ଥା
ପାଟିରେ ପଡୁଛି ତାଲା.
ଭଲରେ ମନ୍ଦରେ କା ପାଇଁ କହିଲେ
ଘରେ ଲାଗିଯାଏ ପାଲା ।
ମାଆ କହୁଥାଏ ମାଇପ ବୋଲାରେ
ବାପା ବାଣୀ ଅଲାଜୁକ.
ଯାହା ହାତ ଧରି ଘରକୁ ଆଣିଲି
ଫଣ ଫଣ ହୁଏ ଦେଖ ।
ହସି ପଦେ କଥା କହିଲେ ସ୍ତ୍ରୀରୀକୁ
କୁହେ ବୋଉ ମାଇଚିଆ.
ବୋଉକୁ କହିଲେ ହସି ହସି ପଦେ
ହୁଏ ବୋଉ ସୁହାଗିଆ ।
ଶ୍ୱଶୁର ଘରକୁ ପଡିଲେ ଯିବାକୁ
ସଙ୍କଟ ପଡଇ ମାଡି.
ବାପା ମାଆ ମୋର ବୁଝନ୍ତିନି କିଛି
ହୁଅନ୍ତି ଦାନ୍ତ ରଗଡି ।
କେତେବେଳେ ଆସେ ରାମ ବାଣ ଏଠି
କେତେବେଳେ ଅଗ୍ନିବାଣ.
ଶେଷ ବ୍ରହ୍ମଅସ୍ତ୍ର ବାପା ମୋ ଛାଡ଼ନ୍ତି
ଭଉଣୀର କୋପ ବାଣ ।
ବନ୍ଧୁ ବାନ୍ଧବରେ ଯିଏ ଯା ବୁଝିଲେ
କୁହନ୍ତି ଓଲଟା ସିଧା.
ସାହି ପଡିଶାର ଟାହି ଟାପରାରେ
କିଏ ଦେବ ତାକୁ ବାଧା ।
ପାଖରେ ଧନଟି ଥାଉ କି ନ ଥାଉ
କିଏ ସେ ବୁଝିବ ଏହା.
ଦେଇ ନ ପାରିଲେ ଘରମଣୀ କୁହେ
କାହିଁ ହେଉଥିଲ ବାହା ।
ଯେତିକି ଚୁନାକୁ ସେତିକି ତ ପିଠା
କରିବା ଥିଲା ଅଭ୍ୟାସ.
ସଭିଙ୍କ କବଳେ ପଡି ମୁଁ ବିକଳେ
କରଜରେ ହେଲି ନାଶ.!
