ଦୁର୍ଦ୍ଦଶା
ଦୁର୍ଦ୍ଦଶା
ବିକାଶ ମନ୍ତ୍ରର ମିଛ ପ୍ରତିଶ୍ରୁତି
ଯୁଟାଇ ପାରେନା ରୁଟି
ଭୋକର ଦାଉରେ ଡହଳ ବିକଳ
ଗରିବର ଅନ୍ତପୁଟି ।
ମୂଲ ଖଟିବାକୁ ମୂଲିଆ ପାଦରୁ
ଚମ ଯାଏ ଯେବେ ଛାଡ଼ି
ଭାବ ମିଳୁନାହିଁ ପ୍ରଣୟ ରସରୁ
ଲେଖିବାକୁ ଦୁଇ ଧାଡ଼ି ।
ପାଗଳର ଏହା ପ୍ରଳାପ କହିଲେ
ଶୁଣିବାକୁ ନାହିଁ ତର
ପଢିବା ଲୋକରୁ କେହି ତ ବୁଝିବେ
ଅନ୍ତରାତ୍ମାର ଏ' ସ୍ବର !
ଦେହ ବିକି ଯିଏ ବଦଳାଇ ଦିଏ
ଜୀବନର ପାଣିପାଗ
ତା'ର ଇଜ୍ଜତର ପଣତ କାନିରେ
ଲାଗିଛି କଳଙ୍କ ଦାଗ ।
ଝାଳ ବୁହାଇବା ବଦନାମୀ ବୋଲି
ଆଖିର ଲୁହରୁ ଢୋକେ
ପିଇନେଇ ଏବେ ଶୋଇଯିବା ପାଇଁ
ଅଭ୍ୟାସ କଲେଣି ଲୋକେ ।
>
ଜୀବନ ଦର୍ଶନ କଥା ପ୍ରବଚନ
ପ୍ରଭାବ-ବିହୀନ ଯେବେ
କେଉଁ ଭାଇଚାରା ଲିଭିଲା ଚୁଲୀରେ
ନିଆଁ ଯୋଗାଇବ ତେବେ ?
ଅବହେଳିତର ବିଦ୍ରୋହର ଧ୍ବନି
ଚାପି ଦିଆଯାଏ ଯହିଁ
ସଂଗଠନ ପାଇଁ ସଂସଦେ ଶାସକ
ଯୋଜନା କରଇ ତହିଁ ।
ଶାସନ କଳରେ ଚାଟୁକାର ବେଶି
ଅନ୍ୟାୟକୁ ନାହିଁ ଡର
ଶିକ୍ଷାର ବ୍ୟବସ୍ଥା ବେଉସା ହେଲାଣି
ରହିବାକୁ ନାହିଁ ଘର
ଫୁଲଟିଏ ମଧ୍ୟ ଖେଳୁନି ନିର୍ଭୟେ
ପଡିଛି ଲମ୍ପଟ ଆଖି
ମାନବତା ଯାଇ ଅପହଞ୍ଚ ଦୂରେ
କେବେଠୁ ଯାଇଛି ଲାଖି ।
ତଳସ୍ତରେ ଥିବା ନାଗରିକ ପଛେ
ଦୁର୍ଦ୍ଦଶାରେ ସଢୁଥାଉ
ବିକଟ ହେଲେ ବି ଗରିବ ସମସ୍ୟା
ଖବର ହେଉନି ଆଉ ।