ଦୁଇଟି କବିତା: କୋଡ଼ୁଥିବ ଏଠି ମୁଣ୍ଡ
ଦୁଇଟି କବିତା: କୋଡ଼ୁଥିବ ଏଠି ମୁଣ୍ଡ


ମୋତେ ଦେଖି କିଆଁ କିରିକିରି ହୋଇ
ହସୁଛ ଏମିତି ତମେ ,
ସାଙ୍ଗଙ୍କ ଆଗରେ ଚୁଗୁଲି କରୁଛ
ଜାଣି ଗଲିଣି ମୋ ନାମେ ।
ବାପ ଘରେ ବଡ଼ ଅଲିଅଳି ଥିଲି
ଚିନ୍ତା ନ ଥିଲା ମୋ କିଛି ,
ସକାଳ ପହରୁ ରାତି ଅଧଯାଏ
ଏଠି କେତେ ଖଟୁଅଛି ।
ସେଇଥିରେ ପୁଣି ବାବୁଙ୍କର ମୋତେ
"ୟା କର ତା' କର" ରଡ଼ି ,
ଶାନ୍ତିରେ ବି ଟିକେ ବିଶ୍ରାମ ମିଳୁନି
କେତେବେଳେ ଦୁଇ ଘଡ଼ି ।
କୋଉଦିନ ଟିକେ ଝାଡ଼ୁ ମାରିଲ କି
ରୋଷେଇ କରିଲ ବୋଲି ,
ସାଙ୍ଗଙ୍କ ଆଗରେ ସେ କଥା ଗପିବ
ମୋଅରି ପଛରେ ଖୋଲି ।
ଶାଢ଼ି ଦୁଇଖଣ୍ଡ ଇସ୍ତ୍ରୀ କରିଲ ଯେ
ପାହାଡ଼ଟା ଦେଲ ଟାଳି ,
ଯେତେ କହିଲେ ବି ଏ ଖୋଇ ଛାଡ଼ୁନ
ମାଗିକି ଖାଉଛ ଗାଳି ।
ରୋଜଗାର କରି ଆଣୁଅଛ ଯାହା
ମୋ ଖର୍ଚ୍ଚକୁ ପରା ଅଧା ,
କେଡ଼େ ହୀନିମାନ କରିଅଛ ହାୟ
କାନ୍ଦି ମରୁଅଛି ସଦା ।
କାହାକୁ କହିବି-ମୋ କପାଳ ଫଟା
ଧରିଲି ତୁମର ହାତ ,
ସବୁବେଳେ ଖାଲି ମୋ ଖୁଣ ଦେଖୁଛ
ଯେମିତି ସରଗ ଦୂତ ।
କହିଲେ କହୁଛ-ତୁମ କଥା ନୁହେଁ
ହେଉଥିଲୁ ଦୁଃଖ ସୁଖ ,
ଭାବିଛ ମୁଁ କିଛି ବୁଝି ପାରିବିନି
ଯେମିତିକା ଗୋଟେ ମୂର୍ଖ ।
ସାବଧାନ ଆଜି କରି ଦେଉଅଛି
ମୋ ନାମେ ଖୋଲିଲେ ତୁଣ୍ଡ ,
ବାପଘର ସିଧା ଚାଲିଯିବି ମୁହିଁ
କୋଡ଼ୁଥିବ ଏଠି ମୁଣ୍ଡ ।
"ଓଗାଳୁଛ ଖାଲି ନିଆଁ"
ଏବେ ସେତିକିରେ ତୁନି ହୋଇଯାଅ
ମୁହଁ ଖୋଲନାହିଁ ଆଉ ,
ଏ ଘରକୁ ତୁମେ ଆସିବା ଦିନରୁ
ସମ୍ଭାଳୁଛି ତୁମ ଦାଉ ।
କୋଉଦିନ ତୁମେ ଆଠଟା ନ ହେଲେ
ଛାଡ଼ିଅଛ କୁହ ଶେଯ ,
ସେତେବେଳକୁ ମୁଁ ସାରିଥାଏ ପରା
ଘରକର ଅଧା କାର୍ଯ୍ୟ ।
ଗାଧୋଇ ପାଧୋଇ ସଜବାଜ ହୁଅ
ଆଇନା ଆଗରେ ବସି ,
ଚାହା ,ଜଳଖିଆ ଦେଇକରି ମୁହିଁ
ଅଫିସକୁ ଯାଏ ହସି ।
ଅନ୍ତରଟା ପଛେ କୁହୁଳୁ ଥାଏ ମୋ
କହେନାହିଁ ମୁହଁ ଖୋଲି ,
ଖାଇ କରି ତୁମେ ପରଚର୍ଚ୍ଚା କର
ୟା ଘର ତା'ଘର ବୁଲି ।
ଖଟି ଖଟି ମୁହିଁ ଘରକୁ ଫେରିଲେ
ଦୋକାନରୁ ପିଏ ଚାହା ,
ଗୋଟି ଗୋଟି କରି ସବୁ ଆଣେ ପରା
ବରାଦଟି କର ଯାହା ।
ସଞ୍ଜକୁ ସାଥୀରେ ବୁଲାଇ ନିଏ ତ
ଏଠି ସେଠି ଯେଣେ କୁହ ,
ସିନେମା ,ସପିଂ, ସରିଲା ପରେ ପା'
ହୋଟେଲରେ ପେଟେ ଖାଅ ।
କୋଉଦିନ ଏଠି କାମ କରିଛ ଯେ
ବିଶ୍ରାମ ମିଳୁନି କୁହ ,
ଦୋଷ ନ ଧରି ମୁଁ ସମ୍ଭାଳି ଗଲାରୁ
ବଢ଼ି ଯାଉଅଛି ମୁହଁ ।
ଚାଲିଯିବ ବୋଲି ଧମକ ଦେଉଛ
ଯାଉନ ରହିଛ କିଆଁ ,
ସବୁବେଳେ ଏଠି ମୁହଁ ଖୋଲୁ ଖୋଲୁ
ଓଗାଳୁଛ ଖାଲି ନିଆଁ ।
ତୁମେ ଚାଲିଗଲେ ବାପା ,ମାଆ ଆସି
ଶାନ୍ତିରେ ରହିବେ ଏଠି ,
ବାପଘର ସୁଖ ଝୁରି ହେଉଅଛ
ଗଲେ ତ ଭୋଗିବ ସେଠି ।