ଦୁଇ ଧାର ଲୁହ
ଦୁଇ ଧାର ଲୁହ
ଶରତ ବାବୁଙ୍କ ପତ୍ନୀଙ୍କ ଦେହାନ୍ତ
କଲେ ଦ୍ଵିତୀୟ ବିବାହ
ଗରିବ ଘରର ଝିଅ ଶାନ୍ତିଲତା
ପ୍ରଶାନ୍ତିର ବାରିବାହ |
ବେନିପୁତ୍ରଙ୍କର ପାଳନ ପୋଷଣେ
ନିଜ ସୁଖ ବଳି ଦେଇ
ମାତାର ଭୂମିକା ବହି ରୂପାମ୍ବିକା
ସ୍ୱାମୀଙ୍କ ମନ ରଞ୍ଜେଇ |
ସ୍ୱଇଚ୍ଛାରେ କଲେ ଜନ୍ମ ନିୟନ୍ତ୍ରଣ
ମାତୃତ୍ୱକୁ ଜଳାଞ୍ଜଳି
ତ୍ୟାଗ ମମତାର ମନ୍ଦିର ସାଜିଲେ
ବିରାଜିଲେ ଦେଵୀଭଳି |
ମାତୃ ସ୍ନେହ ଦାନେ କରିଲେ ପାଳନ
ଉଚ୍ଚ ଶିକ୍ଷା ଲଭି ଦୁହେଁ
ସରକାରୀ ଚାକିରୀରେ ଯୋଗଦେଲେ
ମାଆ ଖୁସି କହିନୁହେଁ |
ଗୋଟିଏ ଦିନରେ ଦୁହିଁଙ୍କ ନିଯୁକ୍ତି
ଘରୁ ଯେବେ ବାହାରିଲେ
ଆନନ୍ଦେ ମାଆର ଦୁଇଧାର ଅଶ୍ରୁ
ବହେ ପ୍ଲାଵି ଗଣ୍ଡ ସ୍ଥଳେ |
ଘୋଡ଼ା ଚଢ଼ି ଚାଲି ଗଲା ଖୁସିଦିନ
ପତି ପରଲୋକ ଗତ
ଅନ୍ତ୍ୟେଷ୍ଟି କ୍ରିୟାର ସମ୍ପାଦନ ଅର୍ଥେ
ବେନି ଭ୍ରାତ ଉପଗତ |
ବନ୍ଧୁ ବାନ୍ଧବ ତ ଘେନିଲେ ବିଦାୟ
ପୁତ୍ରେ ବି ହେଲେ ଅନ୍ତର
ଦୁଃଖିନୀ ମାଆର ବେଦନାର ଭାର
ବଢିଗଲା ଗୁରୁତର |
ସୁମନ ତପନ ତାର ପ୍ରାଣ ଧନ
ହେଲେ ଏଡ଼େ ଅମଣିଷ
କିପରି ରହିବ ଏକାକୀ ଜନନୀ
ଶୂନ୍ୟ ଆଜି ଦଶଦିଶ |
ସମବେଦନା ତ ଜଣାଇବା ଦୂର
ମାଆ ବୋଲି ସମ୍ଭାଷଣ
କଲେ ନାହିଁ କିବା ବିମାତା ଭାବରେ
ପ୍ରଦର୍ଶାଇ ଆଚରଣ |
ସକଳ ମିହନ୍ତ ତ୍ୟାଗ ପ୍ରତିଦାନ
ମାତ୍ର ଦୁଇ ଧାର ଲୁହ
ଫାଟିଯାଏ ଛାତି ହୁଅଇ କରତି
ଭାଗ୍ୟର ଏ ଚକ୍ରବ୍ୟୁହ୍ୟ |
