ଦୁଇ ଅକ୍ଟୋବର-ଜାତିର ଜନକ
ଦୁଇ ଅକ୍ଟୋବର-ଜାତିର ଜନକ
ଶୃଙ୍ଖଳରୁ ମୁକ୍ତ ହୋଇ ସ୍ଵାଧୀନତାର ସ୍ୱାଦ
ଚାଖିବା ଅବାନ୍ତର ମନେ ହେଉଥିଲା
ତମେ ପରା ଶିଖେଇଲ ଧୈର୍ଯ୍ୟ, ସାହସ ଓ
ଶକ୍ତି ବଳ, ଫଳରେ ସ୍ଵାଧୀନତା ହେଲା |୧|
ଧର୍ମ ଜାତି ସମ୍ପ୍ରଦାୟ ନାମରେ ବିଭେଦ ବିରୁଦ୍ଧରେ
ମଣିଷ ସମାଜର ଏକତା ପାଇଁ
କେତେ ବୀର ଯେ କଷଣ ଭୋଗ କରିଥିଲେ ବନ୍ଧୁକ
ଗୁଳିରେ ଜୀବନ ସବୁକୁ ଦେଇ |୨|
ଆଜି ଦୁଇ ଅକ୍ଟୋବର, ଆମେ ସମସ୍ତେ ଗାନ୍ଧୀ
ଜୟନ୍ତୀ ପାଳନ କରୁଛେ
ବରଷ ବରଷ ଧରି ପାଳନ କରି ଆମେ ସବୁ
ଭାରତୀୟ କୁହ କଅଣ ଶିଖିଛେ |୩|
ନାରୀର ଇଜ୍ଜତରେ ଲାଗିଛି କଳଙ୍କର ଦାଗ,
ସେଇ ଘୃଣ୍ୟ ଚିନ୍ତାତ ଲିଭୁନି
ଏବେ ଶାସନ କଳରେ ଅଛନ୍ତି ଯେତେକ
ପୁଂଜିପତି ପାଇଁ ଚିନ୍ତା ଛାଡିନି |୪|
ସାଧାରଣ ଜନତା ରୋଜଗାର ଶୂନ୍ୟ ଜୁଟାଇ
ତ ପାରେନା ପଖାଳ ଓ ରୁଟି
ରଖିଲେ ଖବର, ପାଉଛେ ଭୋକର ଦାଉରେ
ଡହଳ ବିକଳ ଆଜି ତାର ଅନ୍ତପୁଟି |୫|
ପ୍ରସାଦ ପରେ ପ୍ରସାଦ ତିଆରି ଚାଲେ ଦେଖ
>
କିଛି ହାତଗଣା ବଡ ଲୋକର
ରହିବାକୁ ନାହିଁ ଉପଯୁକ୍ତ ଘର ଅଧିକାଂଶ
ଭାରତୀୟ ଗରିବ ଜନତାର |୬|
ଅଦେଖା ଟିକସ ଦେଇ ଦେଇ ହଂସା ଉଡିଲାଣି
ଏଠି ଦେଖ ମଧ୍ୟବିତ୍ତ ମଣିଷର
ଅଭ୍ୟାସ କଲେଣି ଏ ଦେଶର ଜନତା ମାଗିଖିଆ
ଲୋକର ବ୍ୟବହାର |୭|
ଅଭ୍ୟାସ କଲେଣି ଏ ଦେଶର ଜନତା ନେତାର
ଚାଟୁକାର ହେବା ପାଇଁ
ଅଭ୍ୟାସ କଲେଣି ଏ ଦେଶର ଲୋକେ ଏବେ
ଚେଇଁ ଶୋଇବା ପାଇଁ |୮|
ଗାନ୍ଧି ନୀତି ଦୁର୍ବଳ ତ ନୂହେଁ, ଭାବୁଛକି ଏବେ
ଭୁଲି ଗଲେଣିକି ସତ୍ୟର ମନ୍ତ୍ର
ହେ, ଅତ୍ୟାଚାରୀ ଅନ୍ୟାୟୀ ମଣିଷ ଦେଇ ଚାଲି
ଥିବ ମିଛ ବିକାଶର ମନ୍ତ୍ର |୯|
ଖାଲି ମିଛ ପ୍ରତିଶ୍ରୁତିରେ ଓ ଧରମର ଦ୍ୱାହି ଦେଇ
ଶୋଷି ନେବ ଆମର ଧନ
ଚାପି ଦେବ ତୁମେ ବିଦ୍ରୋହର ଧ୍ବନି ଅବହେଳିତର
ରୋଷ ଓ କ୍ରନ୍ଦନ |୧୦|
ମନୋବଳ, ଦୃଢ଼ ଇଚ୍ଛାଶକ୍ତି, ଜାଗ୍ରତ ହୋଇଲେ
କ୍ଷଣିକ ନିରାଶା ତ ହେବ ଦୂର
ବଦଳି ଯିବ ସବୁ ସମୟ ସୁଅରେ, ସବୁ ତ ହଜି
ଯିବ କାଳର ଗର୍ଭ ଭିତର |୧୧|