ଦୁଃଖ ଯେବେ ଆସେ
ଦୁଃଖ ଯେବେ ଆସେ
ଦୁଃଖ ଯେବେ ଆସେ ମନର ଆକାଶେ
ଘୋଟେ ଦୁର୍ଦ୍ଦିନର କଳାମେଘ
ବିଜୁଳି ଚମକି ଘଡ଼ଘଡି ଡାକି
ମାଡ଼ି ବସଇ କି ଭୟବାଘ
ଆତୁରେ ଅଥୟ
ମଣଇ ନିଜକୁ ଅସହାୟ
ଈଶ୍ବରେ ଆରାଧି ମନକୁ ପ୍ରବୋଧି
ଉଶ୍ବାସି ପାରଇ ଯା' ହୃଦୟ ।
ଆଶାର କଣିକା ଯେବେ ମରୀଚିକା
ବିଶ୍ବାସ ହୁଅଇ ବାଟବଣା
ଫଟା କପାଳଟା କରି ହଟହଟା
ତୋଳିଦିଏ ନାନା ନିର୍ଯ୍ୟାତନା
ଆପଣାର ଲୋକେ
ମୁହଁ ଫେଇ ନେଇଥାନ୍ତି ଥୋକେ
ସମ୍ପର୍କ ତୁଟଇ ହୃଦ ହୁଏ ଦହି
ଭାଳିଭାଳି ପୂର୍ବ ସ୍ମୃତି ଦୁଃଖେ ।
କପଟ ମିତ୍ରର କାର୍ଯ୍ୟ ବାରବାର
କରୁଥାଏ ହୃଦୟକୁ ହତ
ସତେ ନିର୍ବାସନ ଦଣ୍ଡର ବିଧାନ
କରିଅଛନ୍ତି କି ଜଗନ୍ନାଥ
ଳସର୍ବେ ହତାଦର
କରିବା ପାଇଁ କି ଆଗୁସାର
ବ୍ୟଥିତ ମନରେ ଅସୀମ ଧୈର୍ଯ୍ୟରେ
ରୋଧଇ କେବଳ ଅଶ୍ରୁଧାର ।
ଲାଗିବ ଜୀବନ ସତେ ମୂଲ୍ୟବାନ
ବିଦୀର୍ଣ୍ଣ ହୃଦୟ ହେବ ପୂର୍ଣ୍ଣ
ବାଦଲ ଆଡେଇ ସୁଖକୁ କୋଳେଇ
ହସି କି ପାରିବ ପୁଣି ମନ
ଚିନ୍ତାରେ ଏମିତି
ଘାରି ହେଉଥାଏ ନିତିନିତି
କେବେ ଦୟାମୟ ହୋଇବେ ସଦୟ
ଦୂର ହୋଇଯିବ ଦୁଃସ୍ଥିତି ।
କାତର ନହୋଇ ଯେବେ ସ୍ଥିର ରହି
ଦୁଃଖର ଧକ୍କାକୁ ସହିଯିବ
ଧୀରେ ଧୀରେ ସୁଖ ଦେଖାଇ ତା' ମୁଖ
ଯେତେ ଅବଶୋଷ ହରିନେବ
ଚାଲି ସୁପଥରେ
ଗଣିତ ଉତ୍ତମ ମଣିଷରେ
ବୃଥା ଭାଗ୍ୟ ନିନ୍ଦି ଦୁଃଖେ କିଆଁ ଛନ୍ଦି
ହେଉଥିବା କେହି ଜୀବରେ ?
