ଦୁଃଖ ଯଦି ଆସେ କେବେ
ଦୁଃଖ ଯଦି ଆସେ କେବେ
ଜୀବନର ଚଲାପଥ ନୁହଁଇ ସର୍ବଦା
ସରଳ ସୁଗମ ଫୁଲେ ଫୁଲେ ଆଚ୍ଛାଦିତ
ଆନନ୍ଦରେ ଯାତ୍ରା କରି ପହଞ୍ଚି ହେବ
ଅନାୟାସରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳେ
ଅଜଣା ଅସୀମ ଗନ୍ତବ୍ୟର ସେ ଦୂରତା
ପଥ କେଉଁଠି ହୋଇ ପାରେ ଅଙ୍କାବଙ୍କା
କେଉଁଠି ଦୁର୍ଗମ ଖାଲ ଖମା କଣ୍ଟକିତ
ପାଦେ ପାଦରେ ଆସିପାରେ ଭିନ୍ନ ମୋଡ଼
ପଲକ ପଡ଼ିବାର ଶୂନ୍ୟକାଳରେ ବି
ଘଟିପାରେ ଅବାଞ୍ଛିତ ଦୁଃଖର ଅଘଟଣା
ଦୋହଲି ପାରେ ଆଶା ସୌଧର ମୂଳଦୁଆ
ଭାଙ୍ଗି ପାରେ ବଜ୍ର ସମ ସଂକଳ୍ପକୁ
ସ୍ବପ୍ନ ସବୁ ଏଠି ସାଜନ୍ତି ରଙ୍ଗୀନ ପ୍ରଜାପତି
ଟିକି ଟିକି ଢ଼େଣାର ବା କେତେ ଭରସା
ସୀମାହୀନ ଅନନ୍ତ ଆକାଶକୁ ଲଙ୍ଘି ଯିବା
ଆବେଗର ଭାବନାରେ ଭାବି ହୁଏ
ବାସ୍ତବତା କିନ୍ତୁ ଅନିଶ୍ଚିତତାର ଅନ୍ଧକାର
ଭୟ ଲାଗେ ଆଶଙ୍କା ଉପୁଜେ ପ୍ରାଣେ
କ'ଣ ହେବ ଆଗକୁ ଅଦେଖା ଭବିଷ୍ୟତ
ଦୁଃଖ ଯଦି ଆସେ କେବେ......
ବିଶ୍ବାସର ନାଆରେ ବସିଛୁ ଆମେ
ସଂପର୍କର ମଧୁର ବନ୍ଧନେ ବାନ୍ଧି ହୋଇ
ପାରି ହେବାକୁ ଚାହୁଁ ଏ ଭବ ସାଗର
ପରସ୍ପରରେ ରଖି ସଦ୍ଭାବର ବୁଝାମଣା
ଦୁଃଖ କେବେ କେଉଁ ରୂପରେ ଆସିପାରେ
ଅଜଣା ତୁମକୁ ଅଜଣା ମୋତେ ବି
ଆମର ଆପଣାପଣ ଆତ୍ମୀୟତା ଭାବ
ହୃଦୟର ଭିତରେ ସାଇତି ରଖିବା
କେହି କାହାକୁ ଦେବା ନାହିଁ ପ୍ରତାରଣା
କି ଦୂରେଇ ଯିବା ନାହିଁ ମୁହଁ ମୋଡ଼ି ଦେଇ
ସମ୍ବେଦନଶୀଳ ହେବା ଦୁଃସମୟରେ
କରିବା ଅନୁକମ୍ପା ଦେଖାଇବା ମାନବିକତା
ସାନ୍ତ୍ଵନା ଦେଇ ଫେରାଇ ଆଣିବା ଶାନ୍ତି
ତୁମ ଦୁଃଖରେ ମୁଁ ମୋ ଦୁଃଖରେ ତୁମେ
ସାହା ଭରସା ହୋଇ ଠିଆ ହେବା
କାନ୍ଧକୁ କାନ୍ଧ ମିଳାଇ ବାଟ ଚାଲିବା
ସେବା ଯତ୍ନ ତ୍ୟାଗର ମନୋଭାବ ରଖିବା
ଆକସ୍ମିକ ଘଟଣା ପ୍ରତି ସଜାଗ ରହିବା
ସମସ୍ୟାକୁ ସାମ୍ନା କରି ସମାଧାନ କରିବା
ଭୁଲି ଯିବାନି ଏକତା କି ଜାତୀୟତା
ଦେଶ ଦଶର କଲ୍ୟାଣରେ ମନ ଦେବା
ନ୍ୟାୟ ନୀତି ଧର୍ମ ବଜାଇ ରଖିବା ଭବେ
ଦୁଃଖ ଯଦି ଆସେ କେବେ.......।।
