ଦୁହିତା
ଦୁହିତା
ଦୁହିତା' ଦୁଇଟା ହିତ ସାଧନେ ରଖେ ଏକାଗ୍ରତା
ପ୍ରଥମେ ଜନମି ପିତା କୂଳେ ହୁଏ ଆଦୃତା ।
ଶିକ୍ଷା ଦୀକ୍ଷା ଗୁଣରେ ଭରେ ତାର ସରସତା
ଦ୍ଵିତୀୟରେ ହୋଇ ସେ ଉପଯୁକ୍ତା ବିଭୁଷିତା ।
ପିତା ଘର ଛାଡି଼ଯାଏ ଶାଶୁଘର ନବ ବିହାହିତା
ଦୁଇ କୂଳେ ରଖି ମଧୁର ସଂପର୍କର ଏକତା ।
ସେବା ଯତ୍ନ ତ୍ଯାଗର ଦେଖାଏ ମହନୀୟତା
ପୁଣ୍ୟ ପବିତ୍ର ମମତା ଧାରର ସେ ସରିତା ।
କନ୍ୟାରୁ ବଧୂ ପୁଣି ମାତାରେ ସ୍ଵୟଂ ସଂପୂର୍ଣ୍ଣା
ମାନବୀ ରୂପରେ ଦେବୀ ସେ ଅନ୍ନପୂର୍ଣ୍ଣା ।
ଅତୁଳନୀୟତାରେ ସମାଜେ ହୁଏ ଅଗ୍ରଗଣ୍ୟା
ଆଚାର ବ୍ୟବହାର ଚରିତ୍ରରେ ସେ ସୁଧନ୍ୟା ।
ହସ ଲୁହକୁ ସାଥୀରେ ନେଇ ସେ ଅନନ୍ୟା
ସାରା ଜଗତ କରେ ତାର ଚରଣ ବନ୍ଦନା ।
ବସୁଧା ସମ ସହିଥାଏ କେତେ କଷ୍ଟ ଯନ୍ତ୍ରଣା
ଉତ୍ସର୍ଗୀକୃତା ଜୀବନ ତାର ଭବେ ସେ ପୁଣ୍ୟା ।
ସଂସାରର ପରିପୂର୍ଣ୍ଣତା ଲାଗି ସେ ଦୁହିତା
ମମତାର ଅମୃତ ଦାନେ ହୁଏ ଜଗତଜିତା।
ଗୁଣାତ୍ମକ ଦିଗେ ଆଜିର ସମାଜେ ଦୁହିତା
ହୁଏ ସୁବିଧା ସୁଯୋଗରୁ ବଞ୍ଚିତା ଉପେକ୍ଷତା ।
କନ୍ୟାଟିଏ ବୋଲି ହେୟ ଆଖିରେ ନ୍ୟୁନା
ଦୂରେଇ ଯାଏ ତା'ଠାରୁ ଆଶା ସମ୍ଭାବନା ।
କନ୍ୟା ଭୃଣଟିଏ ଜାଣିଲେ କରାନ୍ତି ଗର୍ଭପାତ
ଅନାଦରରେ ବଢେ ପାଇ ନା ନା ଆଘାତ ।
ଜୀବନ ହୁଏ ତାର ବିପଦପୂର୍ଣ୍ଣ ଅସୁରକ୍ଷିତ
ଆତଙ୍କିତା ହୋଇ ରହିଥାଏ ସଂକୁଚିତ ।
ପ୍ରତିଭା ବିକାଶେ ପାଏ ନାହିଁ ସବୁ ସୁବିଧା
ପ୍ରତି ପାଦେ ପାଦେ ଆସେ ତାର ବାଧା ।
ପ୍ରତିବାଦର ସ୍ଵର କୋଳାହଳେ ହୁଏ ଲୀନ
ଅନ୍ତର୍ଦାହେ କୁହୁଳି ଦଗ୍ଧଭୁତ ତା ଜୀବନ ।
ପାଏନା ଉଚିତ ମାତ୍ରାରେ ମର୍ଯ୍ୟାଦା ସମ୍ମାନ
ହରାଏ ତାର ନ୍ୟାର୍ଯ୍ୟ ସ୍ବତନ୍ତ୍ରତା ସ୍ବାଭିମାନ ।
ଦୁହିତାର ଦୁଇ କୂଳ ହିତା ମହତ ଲକ୍ଷ୍ୟ
କୋହ ହୋଇ ରହିଯାଏ କ୍ଷତାକ୍ତ କରେ ବକ୍ଷ ।
ନାରୀ ସୁରକ୍ଷା ସଭ୍ୟ ସମାଜର ମୌଳିକତା
ଟେକ ତାର ବଜାଇ ଜାତିର ସାର୍ଥକତା।
