STORYMIRROR

Pranati Panda

Inspirational

4  

Pranati Panda

Inspirational

ଦୃଷ୍ଟିଭଙ୍ଗୀ

ଦୃଷ୍ଟିଭଙ୍ଗୀ

1 min
517


ଜୀବନ ପୃଷ୍ଠାର ପ୍ରତି ପାଣ୍ଡୁଲିପି

ବଖାଣେ ଜୀବନ କାବ୍ୟ କାହାଣୀ ,

ଆମ ଖୋଜାଲୋଡ଼ା ଅଭୁଲା ସ୍ମୃତିର

ମଧୁର , କ୍ଷତାକ୍ତ ମିଶ୍ରିତ ବାଣୀ ।


ଶରୀର ମନର  ପୂର୍ଣ୍ଣ ଅପୂର୍ଣ୍ଣର

ନିରୀକ୍ଷଣ ଭରା ହୃଦୟ ଗ୍ଳାନି ,

ବିମଣ୍ଡିତ କରେ ନିତି ନୂଆ ପୃଷ୍ଠା

କାଳ ବିବର୍ତ୍ତନ କଥା ଜୀବନୀ ।


ପ୍ରତିଟି ସୂର୍ଯ୍ୟାସ୍ତ ପରେ ଆମେ ସବୁ

ପାନ୍ଥଶାଳା ସ୍ଥିତ ଆଶ୍ରାୟୀ ପାନ୍ଥ ,

ନୂତନ ସୂର୍ଯ୍ୟକୁ ଦେଖିବା ନିମନ୍ତେ

ଅପେକ୍ଷା ଈଶାରା କରେ ସେ କାନ୍ଥ ।


ସମୟ କାହାର ପ୍ରତୀକ୍ଷିତ ନୁହେଁ

ପ୍ରତିଶ୍ରୁତି ଦେଇ ଫେରି ଆସିବ ,

ବୟସ ବସନ୍ତ ଫେରେଇବା ପାଇଁ

ଆୟୁଷ୍ମାନ ଆଶୀର୍ବାଦ କରିବ ।


ଅବିଶ୍ରାନ୍ତ ଯାତ୍ରା ସନ୍ଧ୍ୟା ସକାଳକୁ

ସମୟ ସମ୍ପଦ ଅଣ୍ଟିରେ ଧରି ,

ସତର୍କ ସ୍ମାରକୀ ବାଧକ ହେବନି

କାଳ ପୁରିଗଲେ ନେବ ଓଟାରି ।


ସଫଳ , ବିଫଳ ଅଭିନୟ ଯେତେ

ଜୀବନ ନାଟକର କଳାକାର ,

ପ୍ରତୀକ୍ଷା କରେକି ଭବିଷ୍ୟତ ପାଇଁ

ଜନ୍ମ ନେବ ବୋଲି ସେ ବାରମ୍ବାର ।


ଏ ଜନ୍ମ ଆମର ଆରମ୍ଭ ଓ ଶେଷ

ସ୍ଥୂଳ ଜଗତରୁ ନେବା ବିଦାୟ ,

ସୁକର୍ମ, କୁକର୍ମ କର୍ମଫଳ ଭେଦ

ଯିବାପରେ ଦେବ ସେ ପରିଚୟ ।


ବଳିଷ୍ଠ ଚେତନା ଦେବ ଆଶୀର୍ବାଦେ

ଜୀବନେ କରାଏ ସେ ଉର୍ଦ୍ଧ୍ବଗାମୀ,

ନିକୃଷ୍ଠ ଭାବନା ଇପ୍ସିତ ଇଚ୍ଛାଟି

ଯନ୍ତ୍ରଣା ଦେଇ କରେ ନିମ୍ନଗାମୀ ।


ଜାଣିବା ଉଚିତ୍ କୃତ କର୍ମଫଳ

ବ୍ୟକ୍ତି ଭୋଗ କରେ ତାର ପ୍ରାରବ୍ଧ ,

ପ୍ରତୀତ ନହୁଏ ବିଧାତା ନିର୍ଦ୍ଦେଶେ

ଜନ୍ମ ଜାତକରେ ଲେଖେ ବିବୋଧ ।


ମନୁଷ୍ୟ ଜୀବନ ପର୍ଯ୍ୟାପ୍ତ ସଂଳାପ

ସମୟ ସ୍ପର୍ଶର ଉପସଂହାର ,

ମାନସିକତା ହିଁ ଚେତାଏ ବ୍ୟକ୍ତିତ୍ୱ 

ଚରିତ୍ର ଚିତ୍ରଣ ଭିନ୍ନ ପ୍ରକାର ।


ବିଶ୍ଵାସର ବର୍ଣ୍ଣବୋଧ ପୁସ୍ତକକୁ

ପଢ଼ାଇବାକୁ ଅନେକ ଅଛନ୍ତି,

ଭାଷା ଓ ଭାବର ଜୀବନ କାବ୍ୟକୁ

ହୃଦ ଦେଇ କେତେ ପଢ଼ି ଥାଆନ୍ତି ।


ସମାଜ ଦର୍ପଣ  ବ୍ରତ ଚାନ୍ଦ୍ରାୟଣ 

ବର୍ଣ୍ଣନା କରିବା ନୁହେଁ ସହଜ ,

ପ୍ରକୃତିର ଏହି ବିଚିତ୍ର ବର୍ଣ୍ଣାଳୀ 

ଦୃଷ୍ଟିଭଙ୍ଗୀ ପଢ଼ିବକି ସମାଜ ।


     

      


Rate this content
Log in

Similar oriya poem from Inspirational