ଦଣ୍ଡ ଯୁକ୍ତ କ୍ଷମା
ଦଣ୍ଡ ଯୁକ୍ତ କ୍ଷମା
ଯେତେବେଳେ ବିଦ୍ୟାଳୟ ଥିଲା ଦଣ୍ଡ ଯୁକ୍ତ
ଦଣ୍ଡ ଦେବା ଥିଲା ଶିକ୍ଷକ ଉପରେ ନ୍ୟସ୍ତ
ବେଳେବେଳେ ଭୁଲ୍ ଥାଇ ଦଣ୍ଡ ମିଳେ ନାହିଁ
କେହି ଜଣେ ପ୍ରଶ୍ନ କଲେ ସାହସ ଜୁଟାଇ
ଉତ୍ତରରେ ଶିକ୍ଷକ କହିଥିଲେ ବୁଝାଇ
ଦଣ୍ଡ ଦେବା କ୍ଷମା କରିବା ନିଜେ ଜାଣଇ
ବୁଝି ହେଲା ଦଣ୍ଡ କ୍ଷମା ଆଢ଼ୁଆଳେ ଶକ୍ତି
ଦଣ୍ଡ ଦେବା ବ୍ୟକ୍ତି ଚାହିଁଲେ ମିଳଇ ମୁକ୍ତି
ମଣିଷ ସଭ୍ୟତା ଯେତେ ଉନ୍ନତ ହୋଇଛି
ପୁରାଣ ବର୍ଣ୍ଣିତ ପଙ୍କ୍ତିର ସତ୍ୟତା ଅଛି
ଦଣ୍ଡିବା ଶକ୍ତିର ଯିଏ ଉଚ୍ଚ ଅଧିକାରୀ
କ୍ଷମତା ସହିତ ସିଏ କ୍ଷମା ଦାନକାରୀ
ଦୋଷ,ଭୁଲ୍,ଅପରାଧ ଜର୍ଜରିତ ନର
କ୍ଷମା ପ୍ରାର୍ଥନା ଚାହେଁ କରି ଦୋଷ ସ୍ଵୀକାର
ନ୍ୟାୟଧିଶ ସ୍ୱଭାବରେ ଅଟଇ ମଣିଷ
କ୍ଷମା ପ୍ରଦାନେ ଜୀବନ ହୁଅଇ ସରସ।
ଜଣା ଅଜଣା ଦୋଷରେ ବିଚାର-ଅଧୀନ
କ୍ଷମା ବିହୁନେ ଦୁର୍ବିସହ ହୁଏ ଜୀବନ
ଦୋଷ ସ୍ବୀକାର ପୂର୍ବକ କ୍ଷମା ପ୍ରାର୍ଥନାରେ
ଜୀବନ ଭିକ୍ଷା ଗୁହାରୀ ବିଚାରକ ଠାରେ
ବିଚାରକ ଆସନ ହିଁ ଦେବତା ସମାନ
ପକ୍ଷପାତ ବ୍ୟତୀରେକ ନ୍ୟାୟ ବିଚାରଣ
ସତ୍ୟ ଦୟା କ୍ଷମା ଶାନ୍ତିର ଭବ୍ୟ ମୂରତି
କ୍ଷମା ପ୍ରଦାନରେ ଦୋଷୀ ଲଭଇ ମୁକତି
ଭଲ କର୍ମର ଫଳ ଭଲ ନୁହେଁ ଅନ୍ୟଥା
କୁକର୍ମ ରେ ଅନୁତାପ ପୁଣି କ୍ଷମା କଥା
ଭଲ କର୍ମ ବଳେ ମିଳେ ଦେବତା ଆସନ
ଦେବତା ପରି ପୂଜ୍ୟ ସହ ପ୍ରାପ୍ତ ସମ୍ମାନ।
ଅପରାଧ ପାଇଁ ଦଣ୍ଡ ରହିଛି ରହିବ
କ୍ଷମାକାରୀ ଆସନ ବି ଅକ୍ଷୁର୍ଣ୍ଣ ରହିବ
ଦଣ୍ଡ ଦେବା ଅପେକ୍ଷା କ୍ଷମା ଦେବା ମହାନ
କ୍ଷମା ପ୍ରାର୍ଥୀ ପାଇଁ କ୍ଷମା ଦାତା ଭଗବାନ।
