ଦିଶୁଥିବା ଚିଜ ଅସତ୍ୟ
ଦିଶୁଥିବା ଚିଜ ଅସତ୍ୟ
ଈଶ୍ଵରଙ୍କୁ କେହି କେବେ ଦେଖିନାହିଁ ତେଣୁ ସତ୍ୟ ନିରାକାର,
ଦିଶୁଥିବା ଚିଜ ଯେତେ ଯାହା ସବୁ ମିଛ ଅଳିକ ମାତର |
ଦିଶୁଥିବା ପତ୍ନୀ ପୁତ୍ର କନ୍ୟା ମୋର କାଲିଥିଲେ ସେ କାହାର,
କାଲିକୁ ସେ ପୁଣି କାହାର ହୋଇବେ ମିଛ-ମାୟା ଏ' ସଂସାର |
ଦିଶୁଥିବା ଧନ ଜମି କୋଠା-ବାଡ଼ି ନୁହନ୍ତି ଜୀବନ ସାଥୀ,
ମିଛ ଠାକୁର ସେ କାଠ ପଥରରେ ଗଢା ହୋଇଥିବା ମୂର୍ତ୍ତି |
ଦିଶୁଛି ଆକାଶ କି ସୁନ୍ଦର ସତେ ନୁହେଁ ସେ ପୃଥିବୀ ଛାତ,
ଦିଶେ ଜହ୍ନମାମୁ ମୁହଁରେ କଳଙ୍କ ସେ ସବୁ ପାହାଡ଼ ଗାତ |
ଛୋଟ ଦିଶେ ତାରା କେଡ଼େ ମନଲୋଭା ଜଳନ୍ତା ପିଣ୍ଡୁଳା ସିଏ,
ଆଖିକୁ ସୁନ୍ଦର ଦିଶେ ଯଉବନ ଧରି ରଖିପାରେ କିଏ ?
ଚିକିମିକି ହୋଇ ଦିଶୁଥିବା ଚିଜ ସବୁ ନୁହେଁ ସୁନା-ହୀରା,
ଆକାଶରେ ଦିଶେ ମିଛ ଇନ୍ଦ୍ରଧନୁ ଦେଇଛି କି କେବେ ଧରା ?
#ସିଧାକଥା
