ଦିଶୁନଥିବା ଚିତ୍ର
ଦିଶୁନଥିବା ଚିତ୍ର
ଚିକ୍କଣ ଚେହେରା ମସ୍ତକେ ବହଳ କଳା କେଶ
ଓଠରେ ତାହାର ସୀମା ଡେଉଁଥିବା ହସ
ଆରେ ବାବୁ, ଏ ସବୁ ମିଛରେ ସବୁ ମିଛ
ତୁ ଠିକ୍ ସେ ଦେଖିପାରୁନୁ ତାକୁ
ଅବା ସେ ତୋତେ ଲୁଚାଇବାରେ ସିଦ୍ଧହସ୍ତ,
ତା' ମନର କଳାପଟାରେ ଯାହା ଲିଖିତ
ଥରେ ଶୁଣ୍, ସେ ଆହତ ସେ ହତାଶ
ସେ ସହିଛି ଅନେକ ପ୍ରକାରର ବତାସ
ଅଜସ୍ର ସ୍ୱପ୍ନ ମଲାପରେ ତା' ମନେ ଭରିଛି ନିରାଶ ।
ପାଦରେ ତା'ର ପ୍ରତିଦିନ ପଲିସ ହେଉଥିବା
କଳା ରଙ୍ଗର କ୍ଲାସିକ୍ ଚମଡ଼ା ଯୋତା
ବିନା ଇସ୍ତ୍ରୀରେ ପିନ୍ଧେନି ସେ ପୋଷାକ
ବାସୁଥାଏ ଚେହେରା ତାର ନୁଆ ପରଫ୍ୟୁମର
ଓ ଆନନ୍ଦ ଲହରୀ ଖେଳାଉଥିବା ତା' କଥା,
ଆରେ ବାବୁ, ତୁ ଚିହ୍ନିପାରୁନୁ ତାକୁ
ଅବା ସେ ତୋତେ ଦେଇନି ସୁଯୋଗ ଚିହ୍ନିବାର
ତା' ହୃଦୟଟା ସବୁବେଳେ ଉଦାସ
କାନ୍ଦୁଛି ସେ ନୀରବେ ନୀରବେ ପ୍ରତିକ୍ଷଣ
ଅନ
୍ଧକାର ତାର ଭିତରଟା ଅନ୍ତଃରଟା
ବାହାରେ ସବୁ ଦେଖାଉଛି କୁତ୍ରିମତାର ପ୍ରକାଶ ।
ବିନଦାସ୍ ଦିଶୁଥିବା ତା' ମୁହଁ ଅତି ସାଧାରଣ ତା' ଦେହ
ସୁଖୀ ମଣିଷଟେ ସମାଜ ପାଇଁ ନା ନିଜପାଇଁ
ଅଳ୍ପ ଆବଶ୍ଯକତା ତା'ର ସମସ୍ୟାଠୁ ସେ ଦୂର
ଅଭିନୟରେ ବାବୁ, ସବୁ କଞ୍ଚା ଅଭିନୟ ଇଏ,
ପ୍ରକୃତ କର୍ତ୍ତବ୍ୟର ଭିନ୍ନଭିନ୍ନ ଦିଗ ଧର୍ମସଙ୍କଟ ସ୍ଥିତିରେ
ନିଜକୁ ଧିକ୍କାର ବି କରେ ତିରସ୍କାର ବି କରେ
ବାହାରେ ଦେଖାଏ ସେ ଦମ୍ଭର ଚରିତ୍ର
ଭିତରଟା ଭିନ୍ନ, କେବେ ସେ ଦେଖାଯାଏ ବିଚିତ୍ର,
ଲୁହରେ ରକ୍ତାକ୍ତ ସିଏ, କୋହରେ କ୍ଷତାକ୍ତ ସେ
ମନରେ ତା'ର ଅସହ୍ଯ ଯନ୍ତ୍ରଣା ନେଇ
ସେ ରକ୍ତର ରୂପ ନାହିଁ କି ରଙ୍ଗ ନାହିଁ
ତାକୁ କିଏ ବା ଜାଣିବ କିଏ ବା ଚିହ୍ନିପାରିବ
ତୁମେ ଦେଖୁଥାଅ ବାହାର ପରଦା ଚଳଚ୍ଚିତ୍ର
କେହି ପାରିବେନି ଦେଖି ଦିଶୁନଥିବା ଚିତ୍ର।