ଦୀପାବଳୀ
ଦୀପାବଳୀ
କାର୍ତ୍ତିକ ମାସର ଅମାବାସ୍ୟାରେ ହିଁ
ପଡ଼ିଥାଏ ଦୀପାବଳୀ
ନିଷ୍ଠାର ସହିତ ପାଳୁ ଏ ପରବ
ଅଗଣାରେ ଦୀପଜାଳି ।
ପୁରାଣେ ବର୍ଣ୍ଣିତ ଏଦିନ ଶ୍ରୀରାମ
କ୍ରୁର ରାବଣକୁ ମାରି
ଆସିଥିଲେ ଫେରି ଅଯୋଧ୍ୟା ନଗରୀ
ସୀତାଙ୍କୁ ସାଥିରେ ଧରି ।
ଯେହେତୁ ପାଛୋଟି ଥିଲେ ଦୀପଜାଳି
ଦୁହିଁଙ୍କୁ ଅଯୋଧ୍ୟାବାସୀ
ସେଦିନଠୁ ପାଳୁ ଦୀପାବଳୀ ପର୍ବ
ଏହା ତା'ର କିମ୍ବଦନ୍ତୀ ।
ଖାଲି ଦୀପ ନୁହେଁ ରଙ୍ଗୀନ୍ ଆଲୋକେ
ସଜାନ୍ତି ସଭିଏଁ ଘର
ଯେକୌଣସି ଲୋକ ଦେଖିଲେ ଦୂରରୁ
ଆଖି ଲାଖି ରହେ ତା'ର ।
ଅଗଣାକୁ ପରା ଗୋବରରେ ଲିପି
ଫୁଲ ଧୂପ ଦୀପ ଥୋଇ
ବଡ଼ବଡ଼ୁଆଙ୍କୁ ଡାକନ୍ତି ଭକ୍ତିରେ
ପିଠାପଣା ଭୋଗ ଦେଇ ।
ବାକି ଥିବା ଦେୟ କରନ୍ତି ଆଦାୟ
ସମସ୍ତ ଦୋକାନୀ ଭାଇ
ଖାତା ପୂଜା କରି ମିଷ୍ଟାନ୍ନ ବାଣ୍ଟନ୍ତି
ଦୀପାବଳୀ ଦିନ ସେହି ।
ନାନା କିସମର ବାଣ ଶବଦରେ
କମ୍ପିଥାଏ ପଲ୍ଲୀପୁର
ବାଣ ଆଲୋକରେ କାଳିମା ଆକାଶ
ହଜାଏ ଅସ୍ତିତ୍ଵ ତା'ର ।
ବାଣ ଫୁଟାଇବା ବେଳରେ ସତର୍କ
ସଭିଏଁ ସଦା ରହିବା
ଆଲୋକର ପର୍ବ ଏ ଦୀପାବଳୀକୁ
ହସଖୁସିରେ ପାଳିବା ।
